Advertisement
Categories: Home Leftଖେଳ

ଭାରତ ବିପକ୍ଷ ସିରିଜ୍‌ରେ ନେବେ ଅବସର

କଲମ୍ବୋ,୨।୨: ଶ୍ରୀଲଙ୍କା ପେସର ସୁରଙ୍ଗା ଲକମଲ ଆଗାମୀ ଭାରତ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ। ଏ ନେଇ ବୁଧବାର ଘୋଷଣା କରିଛନ୍ତି ପୂର୍ବତନ ଅଧିନାୟକ।

ବଲକୁ ଉଭୟ ଦିଗରେ ସୁଇଙ୍ଗ କରାଇବା ପାଇଁ ଜଣାଶୁଣା ୩୪ ବର୍ଷୀୟ ପେସର ୨୦୦୯ରେ ନାଗପୁରଠାରେ ଭାରତ ବିପକ୍ଷରେ ପଦାର୍ପଣ କରିଥିଲେ। ଏହାର ବର୍ଷକ ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କୁ ମିଳିଥିଲା ଟେଷ୍ଟ ପଦାର୍ପଣ ସୁଯୋଗ। ୨୦୧୧ରେ ସେ ଟି୨୦ କ୍ୟାରିୟର ଆରମ୍ଭ କରିଥିଲେ।

ଲକମଲ ୫ ଟେଷ୍ଟରେ ଶ୍ରୀଲଙ୍କା ଦଳର ନେତୃତ୍ୱ ଦାୟିତ୍ୱରେ ଥିଲେ। ତାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ଏକମାତ୍ର ଏସିୟା ଦଳ ଭାବେ ପ୍ରୋଟିଜ ଦଳକୁ ଦକ୍ଷିଣ ଆଫ୍ରିକାରେ ହରାଇଥିଲା। ଏହାବାଦ୍‌ ତାଙ୍କ ନେତୃତ୍ୱାଧୀନ ଦଳ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌କୁ ଡ୍ର’ କରିଥିଲା। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ ୬୬ ଟେଷ୍ଟ ଖେଳିଥିବା ଡାହାଣ ହାତୀ ପେସରଙ୍କ ନାମରେ ୧୬୭ ଉଇକେଟ ରହିଛି। ସେହିଭଳି ସେ ୮୪ ଦିନିକିଆ ଓ ୧୧ ଟି୨୦ରେ ଯଥାକ୍ରମେ ୧୦୭ ଏବଂ ୮ ଉଇକେଟ ନେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel