Categories: ଜାତୀୟ

‘କରୋନା ଯୋଦ୍ଧା’ ଥିମ୍‌କୁ ନେଇ ମୋଦିଙ୍କ ୭୦ ତମ ଜନ୍ମଦିନରେ ୭୧ ଫୁଟର କେକ୍ ତିଆରି କଲା ସୁରଟ ବେକରି

ସୁରଟ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ ତମ ଜନ୍ମଦିନରେ ଗୁଜରାଟ ସୁରଟର ବ୍ରେଡଲାଇନର ବେକରି ୭୧ ଫୁଟର ଏକ କେକ୍ ତିଆରି କରିଛି । ଏହା କୋରାନା ଯୋଦ୍ଧାଙ୍କ ଥିମ୍‌କୁ ନେଇ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ରହିଛି ୭୭୧ କିଲୋଗ୍ରାମ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କେକ୍ କଟାଯିବା ସହ ମୋଦିଙ୍କ ଜନ୍ମଦିନକୁ ଡିଜିଟାଲି ପାଳନ କରାଯାଇଛି । ଏହି କେକ୍‌କୁ ଅନ୍‌ଲାଇନରେ ମଧ୍ୟ ବିକ୍ରି କରାଯାଇଛି । ସୂଚନାଯୋଗ୍ୟ, ଗତ ୩ ବର୍ଷ ହେବ ବ୍ରେଡଲାଇନର ବେକରି ମୋଦିଙ୍କ ଜନ୍ମଦିନ ପାଳନ କରି ଆସୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ସହ ସୋସିଆଲ ଆୱାରନେସ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥାଏ ।

କେକ୍‌ଟି କାଟିବା ସମୟରେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦିଆଯିବା ସହ ଏଥିରେ ୭ କରୋନା ଯୋଦ୍ଧା ମଧ୍ୟ ଯୋଗ ଦେଇଥିଲେ । କେକ୍‌ରେ ଯେଉଁ ଚିତ୍ର ଥିଲା ସେଥିରେ ଗଣମାଧ୍ୟମ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପ୍ଲାଜମା ଡୋନର ଆଦିଙ୍କ ଫଟୋ ଦେଖିବାକୁ ମିଳିଛି । ଏହାଦ୍ୱାରା ଆମେ କରୋନା ଯୁଦ୍ଧରେ ବିଜୟୀ ହେବା ବୋଲି ବର୍ତ୍ତା ଯାଇଥିବା କହିଛନ୍ତି ଏହାର ଆୟୋଜକ ନୀତିନ ପଟେଲ ।

Share