ସୀମାନ୍ତରେ ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୪।୪(ଡି.ଏନ୍‌.ଏ.): ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ଛତିଶଗଡରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଛି। ସୋମବାର ସିଆରପିଏଫ୍‌ର ଦାନ୍ତଓ୍ବୋଡା ଡେପୁଟି ରେଞ୍ଜର କମଳାଲୋଚନ କଶ୍ୟପ ଓ ପୋଲିସ୍‌ ସୁପରିଟେଣ୍ଡେଣ୍ଟ ଅଞ୍ଜାନେୟ ଭର୍ସନିଙ୍କ ନିକଟରେ ୧୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ମାଓବାଦୀ ରହିଛନ୍ତି। ଫଳରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଥିବା କୁହାଯାଉଛି। ଏହି ମାଓବାଦୀମାନଙ୍କୁ ୧୦ହଜାର ଲେଖାଏ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏମାନେ ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡିତ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଛତିଶଗଡ଼ର ବିଜାପୁର ଜିଲା ସିଲଗର ଜଙ୍ଗଲରେ ପୋଲିସ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ଆଇଇଡି ବୋମା ଜବତ କରିଛି। ପୋଲିସକୁ ଟାର୍ଗେଟ୍‌ କରି ମାଓବାଦୀମାନେ ଜଙ୍ଗଲରେ ଏହି ବୋମା ଲୁଚାଇ ରଖିଥିଲେ। ପରେ ଏହାକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି।

Share