Advertisement

୩ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୩ ମାଓବାଦୀଙ୍କ ସହ ୩୨ ଜଣଙ୍କ ଆତ୍ମସମର୍ପଣ, ବନ୍ଧୁକ ଛାଡ଼ି କହିଲେ…

ମାଲକାନଗିରି,୩୦ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲାରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଛତିଶଗଡ଼ ପୋଲିସ ଦ୍ୱାରା ଚାଲିଥିବା ଘରକୁ ଫେରିଆସ ଅଭିଯାନରେ ଅନୁପ୍ରାଣୀତ ହୋଇ ଏହି ତିନି ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ତେଲନାର ଏଲ୍‌.ଓ.ଏସ୍‌ ସଦସ୍ୟା ରାମବତୀ କୁଞ୍ଜାମ, ଦରଭା ଡିଭିଜନ ସଦସ୍ୟ ୧ ଲକ୍ଷ ଇନାମୀ ମାସେ ମାଡବି, ଓ ଜନତାନା ସରକାର ଅଧ୍ୟକ୍ଷ ଦେବା ଓରଫ ନରେଶ ଆତ୍ମସମର୍ପଣ କରିଛନ୍ତି। ଏହି ତିନିଜଣଙ୍କୁ ଛତିଶଗଡ଼ ପୋଲିସ ତରଫରୁ ୨୫ ହଜାର ଟଙ୍କା ଲେଖାଏ ଚେକ୍‌ ପ୍ରଦାନ କରାଯିବା ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଏବଂ ପ୍ରତିମାସରେ ୧୦ ହଜାର ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ଯେ, ଏଥିସହ ତିନିବର୍ଷ ପର୍ଯ୍ୟନ୍ତ ତାଙ୍କୁ ମାଗଣା ଆବାସ ଗୃହ, ଭୋଜନର ସୁବିଧା ସହ ଆତ୍ମ ନିର୍ଭରଶୀଳ, କୃଷି ସମ୍ବନ୍ଧୀୟ ଭୂମି ମଧ୍ୟ ପ୍ରଦାନ କରାଯିବ। ସେହିପରି ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ପୁରୁଷ ଓ ୭ ଜଣ ମହିଳା ମାଓବାଦୀଥିବା ଜଣାପଡ଼ିଛି। ଏମାନେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବାବେଳେ ପୋଲିସର କଡ଼ା ସୁରକ୍ଷା ଓ ମାଓବାଦୀ ସଂଗଠନରେ ନିର୍ଯାତନାକୁ ସହି ନ ପାରିବା, ମାଓବାଦୀ ମୂଳ ଉଦ୍ଦେଶ୍ୟରୁ ହଟି ନିରୀହ ଆଦିବାସୀଙ୍କୁ ହତ୍ୟା କରୁଥିବାରୁ ଏମାନେ ସଂଗଠନ ଛାଡ଼ିଥିବା କହିଛନ୍ତି। ତେବେ ଏମାନଙ୍କୁ ସରକାରଙ୍କ ତରଫରୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: maiost