ସରୋଗେସି ନିୟମ ଭାଙ୍ଗିନାହାନ୍ତି ନୟନତାରା

ଚେନ୍ନାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଅଭିନେତ୍ରୀ ନୟନତାରା ଏବଂ ସ୍ବାମୀ ବିଘ୍ନେଶ ସରୋଗେସିର କୌଣସି ନିୟମ ଭଙ୍ଗ କରି ନାହାନ୍ତି ବୋଲି ତାମିଲନାଡୁ ସରକାରଙ୍କ ପକ୍ଷରୁ କୁହାଯାଇଛି। କିଛିଦିନ ପୂର୍ବେ ନୟନତାରା ସରୋଗେସି ଜରିଆରେ ଯମଜ ପୁତ୍ର ସନ୍ତାନ ଉୟିର ଓ ଉଲାଘାମଙ୍କ ମା’ ହୋଇଛନ୍ତି ।

ଚଳିତବର୍ଷ ଜାନୁୟାରୀରୁ ଦେଶରେ କମର୍ସିଆଲ ସରୋଗେସି ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବାବେଳେ ନାୟିକା ଜଣକ ସରୋଗେସି ପଦ୍ଧତିରେ ମା’ ହେବାକୁ ନେଇ ବହୁ ବିବାଦ ମୁଣ୍ଡ ଟେକିଥିଲା। ଘଟଣାର ଯାଞ୍ଚ ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତିନିଜଣିଆ ଟିମ୍‌ ଗଠନ କରିଥିଲେ।

୨୦୨୦ରେ ନୟନତାରାଙ୍କ ଫ୍ୟାମିଲି ଡାକ୍ତର ସରୋଗେସି କରୁଥିବା ଡାକ୍ତରଙ୍କୁ ଚିକିତ୍ସା ପାଇଁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠି ଅନୁସାରେ ଟ୍ରିଟ୍‌ମେଣ୍ଟ କରାଯାଇଥିବା ଯାଞ୍ଚ ଦଳ କହିଛି। ଫ୍ୟାମିଲି ଡାକ୍ତର ବିଦେଶ ଯାଇଥିବା କାରଣରୁ ତାଙ୍କ ସହ କୌଣସି ଯୋଗାଯୋଗ ସମ୍ଭବ ହୋଇନାହିଁ। ୨୦୨୧ରେ ସରୋଗେଟ୍‌ ମଦର ଓ ନୟନତାରଙ୍କ ମଧ୍ୟରେ ଏଗ୍ରିମେଣ୍ଟ ସ୍ବାକ୍ଷର କରାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ସରୋଗେଟ୍‌ ମଦରଙ୍କ ଗର୍ଭାଶୟରେ ଭ୍ରୂଣ ରଖାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଚଳିତବର୍ଷ ଜୁନ୍‌ରେ ନୟନତାରା ଓ ବିଘ୍ନେଶ ବିବାହ କରିଥିଲେ।

Share