ସିଡିଏମ୍‌ଓ, ଏଡିଏମ୍‌ଓଙ୍କୁ ଘେରାଉ କଲେ ୩ ସଂଘର କର୍ମକର୍ତ୍ତା

ଢେଙ୍କାନାଳ ଅଫିସ,୨୪ା୨: ଢେଙ୍କାନାଳ ହସ୍ପିଟାଲରେ ଅଚାନକ ପହଞ୍ଚି ପରିଦର୍ଶନ କରିଛନ୍ତି ଢେଙ୍କାନାଳ ଜିଲା ଓକିଲ ସଂଘ ବଣିକ ସଂଘ, ଖବରଦାତା ସଂଘ ଓ କିଛି ବୁଦ୍ଧିଜୀବୀ। ସାତ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏହି ପରିଦର୍ଶନ କରାଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ସକାଳ ୮ଟା ସୁଦ୍ଧା କୌଣସି ଡାକ୍ତର ସଠିକ୍‌ ସମୟରେ ନ ପହଞ୍ଚିବା ରୋଗୀଙ୍କୁ ସ୍ବାସ୍ଥ୍ୟସେବା ନ ଦେବା ଏପରିକି ଖାଦ୍ୟ ମଧ୍ୟ ଦିଆଯାଉ ନ ଥିବା ଜଣାପଡ଼ିଥିଲା। ଏନେଇ ବିଭିନ୍ନ ଓ୍ବାର୍ଡରେ ବୁଲିବା ପରେ ସିଡିଏମ୍‌ଓ ଏବଂ ଏଡିଏମ୍‌ଓଙ୍କୁ ଘେରାଉ କରିଥିଲେ ସମସ୍ତ ସଂଘର କର୍ମକର୍ତ୍ତା। ବାରମ୍ବାର ଏନେଇ ଅଭିଯୋଗ ଓ ଆନ୍ଦୋଳନ ପରେ ବି କାହିଁକି ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାରେ ସୁଧାର ଆସୁନାହିଁ ବୋଲି ସିଡିଏମଓଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ ବିଭିନ୍ନ ସଂଘର ବରିଷ୍ଠ କର୍ମକର୍ତ୍ତା। ଏପଟେ ତୁରନ୍ତ ସ୍ବାସ୍ଥ୍ୟସେବାରେ ସୁଧାର ନ ଆସିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସମସ୍ତ ସଂଘ। ଏପଟେ ହସ୍ପିଟାଲରେ ୫୨ ଡାକ୍ତରଙ୍କ ଜାଗାରେ ୨୭ ଜଣ ରହିଥିବା ବେଳେ ଯେଉଁମାନେ ଠିକ୍‌ ସମୟରେ ଡ୍ୟୁଟିରେ ଯୋଗ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ ଅଶୋକ କୁମାର ଦାଶ କହିଛନ୍ତି।

Share