ନୂଆଦିଲ୍ଲୀ, ୧୬।୫ : ଜ୍ଞାନବ୍ୟାପି ମସଜିଦ ସର୍ଭେ ଶେଷ ହୋଇଛି। ସର୍ଭେ ରିପୋର୍ଟ ଆଧାରରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ କରାଯିବ। ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ପି.ଏସ୍. ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ।
ଗତ ସପ୍ତାହରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହି ସର୍ଭେ ଉପରେ ରୋକ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ କୋର୍ଟ କହିଥିଲେ ଯେ ଆମେ ଏ ବିଷୟରେ କିଛି ଜାଣି ନାହୁଁ। ଏଭଳି ପରିସ୍ଥିତିରେ ଆମେ କୌଣସି ଆଦେଶ ଦେଇ ପାରିବୁ ନାହିଁ। ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ବେଞ୍ଚ କହିଥିଲେ ଯେ ଆମେ ଏହାକୁ ତାଲିକାଭୁକ୍ତ କରୁଛୁ ଏବଂ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବୁ।
ସୋମବାର ଲଗାତାର ତୃତୀୟ ଦିନ ମସଜିଦର ସର୍ଭେ କରାଯାଇଥିଲା ଏବଂ ଏହି ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ଏହି ସର୍ଭେର ରିପୋର୍ଟ ମଙ୍ଗଳବାର ବାରାଣାସୀ କୋର୍ଟରେ ଉପସ୍ଥାପିତ ହେବ।
ସର୍ଭେ ପରେ ହିନ୍ଦୁ ପକ୍ଷର ଆଇନଜୀବୀ ସୋହନଲାଲ ଦାବି କରିଛନ୍ତି ଯେ ବାବାଙ୍କ ସନ୍ଧାନ ମିଳିଛି। ମସଜିଦ୍ ପରିସରରୁ ଶିବଲିଙ୍ଗ ମିଳିଥିବା କୁହାଯାଉଛି। ସେ କହିଛନ୍ତି ଯେ ପୋଖରୀରୁ ପାଣି ବାହାର କରି ଖୋଜାଖୋଜି କରିବା ମାତ୍ରେ ବାବା ମିଳିଥିଲେ। ସେ କହିଛନ୍ତି, ନନ୍ଦୀ ଯାହାଙ୍କୁ ଅପେକ୍ଷା କରୁଥିଲେ, ତାହା ଏବେ ପୂରଣ ହୋଇଛି। ମସଜିଦ ପରିସରର ସର୍ଭେ ସମୟରେ ସୋହାନଲାଲ କୋର୍ଟ କମିଶନରଙ୍କ ସହ ମଧ୍ୟ ଉପସ୍ଥିତ ଥିଲେ।