ସୁବର୍ଣ୍ଣରେଖାରେ ବାଲିସଇରାତ ନିଲାମ ଲାଗି ସର୍ଭେ

ଜଳେଶ୍ୱର, ୪।୮(ସ୍ବ.ପ୍ର.)-ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ବାଲିଆପାଳ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀର ନୂତନ ଭାବେ ସୃଷ୍ଟି ହୋଇଥିବା ବାଲିପଠାକୁ ନିଲାମ ଦେବା ଲାଗି ସର୍ଭେ ଆରମ୍ଭ ହୋଇଛି। ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶରେ ରବିବାର ଏକ ୨୫ଜଣିଆ ଟିମ୍‌ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନ ବୁଲି ସର୍ଭେ କରିଛନ୍ତି। ଗତ ଜୁଲାଇ ୨୭ତାରିଖରେ ବାଲେଶ୍ୱର ଉପଜିଲାପାଳ ଆଶିଷ ଈଶ୍ୱର ପଟେଲଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସ୍ଥାନର ବାଲି ସଇରାତ ସମ୍ପର୍କରେ ଆଲୋଚନା ହୋଇଥିଲା। ତେଣୁ ଜିଲାପାଳଙ୍କ ଚିଠି (ନଂ. ୫୦୭ ତା ୨୭ା୭ା୨୦) ଅନୁଯାୟୀ ଅଗଷ୍ଟ ୨ତାରିଖରେ ୫ଟି ବିଭାଗର କର୍ମଚାରୀଙ୍କୁ ନେଇ ଜିଲାର ବିଭିନ୍ନ ନୂଆ ବାଲି ସଇରାତ ସମ୍ପର୍କରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ରବିବାର ସୁବର୍ଣ୍ଣରେଖା ନଦୀର ଏକତାଳି (କ), ଏକତାଳି (ଖ), ଗୋବର୍ଦ୍ଧନପୁର, ଚୋରମରାର ଚଣ୍ଡି ବସ୍ତି, ଗଡସାହି ବାଲିଆପାଳ, ଦିନା ବେଲବାରିଆ, ପାଳବେଗୁନିଆ ଓ ବାଲିଆପାଳସ୍ଥିତ ନୂତନ ବାଲି ସୌରାତଗୁଡିକରେ ସର୍ଭେ କରାଯାଇଛି। ଉପଜିଲାପାଳ ବାଲି ସୌରାତଗୁଡିକର ସ୍ଥିତି, ପ୍ରଦୂଷଣ ବୋର୍ଡ଼, ଖଣି ଆଇନ, ଜଙ୍ଗଲ ବିଭାଗ ଆଇନ ଓ ଜଳସେଚନ ବିଭାଗର ମତାମତ ସହିତ ରାଜସ୍ବ ବିଭାଗର ତହସିଲଦାରମାନଙ୍କ ମତାମତକୁ ପର୍ଯ୍ୟାଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏହି ଟିମ୍‌ରେ ରିଜିଓନାଲ ଷ୍ଟେଟ୍‌ କଣ୍ଟ୍ରୋଲ ବୋର୍ଡ଼ ପକ୍ଷରୁ ଅନୀଲ କୁମାର ବାରିକ, ବାରିପଦା ମାଇନିଂ ଅଫିସ୍‌ ପକ୍ଷରୁ ସୁରେନ୍ଦ୍ର ସିକ୍‌ଲେ, ଜଳସେଚନ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ. ପ୍ରିୟବ୍ରତ ସିଂ, ନିର୍ମଳକାନ୍ତି ଜେନା, ବନବିଭାଗର ଏସ୍‌ସିଏଫଓ ତପନ କୁମାର ପରିଡା, ସରୋଜ କୁମାର ମହାନ୍ତି, ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସୁପରଭାଇଜର ଶୁଭେନ୍ଦୁ କୁମାର ସାହୁ, ଜମଳାପୁର ଆର୍‌ଆଇ ପ୍ରଭୁରାମ କାସ୍ତ, ଅମୀନଳ ପ୍ରତାପ କୁମାର ଭଞ୍ଜଙ୍କ ସହିତ ବସ୍ତା, ରେମୁଣା, ବାଲିଆପାଳର ତହସିଲଦାରମାନେ ଉପରୋକ୍ତସ୍ଥାନଗୁଡିକୁ ଅନୁଧ୍ୟାନ କରି ଫେରିଛନ୍ତି। ଉପରୋକ୍ତ ସ୍ଥାନରେ ଚୋରାରେ ବାଲିଚାଲାଣ ହେଉଥିବାରୁ ସରକାରଙ୍କ ରାଜସ୍ବ ବଢ଼ାଇବାକୁ ଲକ୍ଷ୍ୟରେ ରଖି ଏପରି କରାଯାଇଥିବା ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି ା

Share