ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା ପୁନର୍ବାର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭରସା କରିଥିବା ବେଳେ ବିଜେଡି ରାଜନୀତିରେ ନବାଗତ ଡା. ସଞ୍ଜୟ ଦାସଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ଏଠାରେ ନୂଆ ମୁହଁ ରଞ୍ଜନ କୁମାର ବେହେରାଙ୍କୁ ଟିକେଟ ଦେଇଛି।
ସୂର୍ଯ୍ୟବଂଶୀ ଓ ସଞ୍ଜୟ ତାଙ୍କ କର୍ମୀ ଓ ଭୋଟରମାନଙ୍କୁ ଭେଟି ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଥିବା ଭଳି ଲକ୍ଷ୍ୟ କରାଯାଉଛି। ସଞ୍ଜୟ ସମର୍ଥକଙ୍କ ସହ ବୁଲୁଥିବା ବେଳେ ଲୋକଙ୍କ ମନ ଜିଣିବାକୁ ରୋଗୀ ସେବା କରୁଛନ୍ତି। ସଞ୍ଜୟଙ୍କ ପ୍ରମୁଖ ମେଣ୍ଟର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ତାଙ୍କୁ କେତେଦୂର ଭରସା ହେବେ, ତାହା ଉପରେ କର୍ମୀଙ୍କ ନଜର ରହିଛି। ସେହିଭଳି ସୂର୍ଯ୍ୟବଂଶୀ ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇ ସାଧାରଣ ଲୋକଙ୍କ ହୃଦୟ ଜିଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଭଦ୍ରକ ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଧାମନଗର ଗସ୍ତ କରି ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି। ଉଭୟ ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ସପକ୍ଷରେ ଧାମନଗରରେ ଅଧିକ ଭୋଟ ହାତେଇବାକୁ ଦଳୀୟ କର୍ମୀମାନେ ଏବେଠାରୁ ଅଣ୍ଟା ଭିଡ଼ିବାକୁ ସେ ସାଧାରଣରେ ନିବେଦନ କରିଛନ୍ତି।
ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ୨୦୨୨ ଶେଷ ବେଳକୁ ଏଠାରେ ଉପନିର୍ବାଚନ ହୋଇଥିଲା। ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ଭାଜପାରୁ ପ୍ରାର୍ଥୀ ହୋଇଥିଲେ। ପୂର୍ବତନ ବିଧାୟକ ତଥା ତତ୍କାଳୀନ ବିଜେଡି ନେତା ରାଜେନ୍ଦ୍ର ଦାସଙ୍କୁ ଦଳ ଟିକେଟ ନ ଦେଇ ମହିଳା କାର୍ଡ ଖେଳି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ରାଜେନ୍ଦ୍ର ବିଦ୍ରୋହ କରି ସ୍ବାଧୀନ ଭାବେ ଉପନିର୍ବାଚନ ଲଢ଼ିବାରୁ ବିଜେଡିକୁ ପରାଜୟବରଣ କରିବାକୁ ପଡ଼ିଥିଲା। ଉକ୍ତ ଉପନିର୍ବାଚନରେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରି ମାତ୍ର ୩,୫୬୧ ଖଣ୍ଡ ଭୋଟ୍‌ ପାଇବାକୁ ସକ୍ଷମ ହୋଇଥିଲା। ଉପନିର୍ବାଚନ ପରେ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୁର୍ବଳ ସ୍ଥାନକୁ ଚାଲିଯାଇଥିଲା। ଏବେ କଂଗ୍ରେସ ତା’ର ସ୍ଥିତି ବଜାୟ ରଖିବାକୁ ନବାଗତ ରଞ୍ଜନଙ୍କୁ ପ୍ରାର୍ଥୀ କରିଛି। ହେଲେ ଏଠାରେ ଭାଜପା ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବା ନେଇ ଚର୍ଚ୍ଚା ହେଉଛି।
ନିର୍ବାଚନରେ ଭାଜପା ପ୍ରାର୍ଥୀ ସ୍ବର୍ଗତ ବିଷ୍ଣୁ ସେଠୀ ୮୦, ୧୧୧, ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫,୪୮୬ ଏବଂ କଂଗ୍ରେସ ପ୍ରାର୍ଥୀ ବିଦ୍ୟାଧର ଜେନା ୭,୩୦୩ ଖଣ୍ଡ ଭୋଟ ପାଇଥିଲେ। ତେବେ ଏଥର ନିର୍ବାଚନରେ ଭାଜପା ଓ ବିଜେଡି ମଧ୍ୟରେ ଭୋଟ ବ୍ୟବଧାନ କେତେ ରହିବ ତାହାକୁ ନେଇ ଅଙ୍କକଷା ଚାଲିଛି। କଂଗ୍ରେସ ପ୍ରାର୍ଥୀ ରଞ୍ଜନ ତାଙ୍କର ନିଜସ୍ବ ଭୋଟ ବଜାୟ ରଖି ନୂତନ ଭାବେ ଭୋଟରଙ୍କ ସମର୍ଥନ ହାସଲ କରିବାରେ କେତେଦୂର ସମର୍ଥ ହେବେ, ତାହା ଉପରେ ମଧ୍ୟ ନଜର ରହିଛି।

Share