Categories: ଖେଳ

ସୂର୍ଯ୍ୟକାନ୍ତଙ୍କୁ ୪ ଉଇକେଟ, ନିଶାନ୍ତଙ୍କ ଶତକ

ଭୁବନେଶ୍ୱର, ୨୮ା୧୨(ସ୍ପୋଟର୍‌ସ ବ୍ୟୁରୋ): କଟକର ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ବିପକ୍ଷ ରଣଜୀ ଟ୍ରଫି ମ୍ୟାଚର ପ୍ରଥମ ଦିନରେ ୫ ଉଇକେଟରେ ୩୦୬ ରନ୍‌ କରିଛି ହରିୟାଣା। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଖେଳାଳି ନିଶାନ୍ତ ସିନ୍ଧୁ ଅପରାଜିତ ୧୪୨ ରନ୍‌ କରିଛନ୍ତି। ଓଡ଼ିଶା ପକ୍ଷରୁ ଦ୍ରୁତ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୪ ଉଇକେଟ ନେଇଥିଲେ। ଏହି ମ୍ୟାଚରେ ଓଡ଼ିଶା ଏକାଧିକ ସିନିୟର ଖେଳାଳିଙ୍କୁ ବାଦ ଦେଇଥିଲା। ବିପ୍ଲବ ସାମନ୍ତରାୟ, ଦେବବ୍ରତ ପ୍ରଧାନ ଓ ରାଜେଶ ଧୂପରଙ୍କ ବିନା ଦଳ ପଡିଆକୁ ଓହ୍ଲାଇଥିଲା। ଟସ୍‌ ଜିତି ଶୁଭ୍ରାଶୁଂ ସେନାପତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।
ସୂର୍ଯ୍ୟକାନ୍ତଙ୍କୁ ୪ ଉଇକେଟ
ଓଡ଼ିଶା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଏହାର ଭରପୂର ଫାଇଦା ଉଠାଇଥିଲେ ସୂର୍ଯ୍ୟକାନ୍ତ। ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଓପନର ଅଙ୍କିତ କୁମାର(୨୩)ଙ୍କୁ ମ୍ୟାଚର ସପ୍ତମ ଓଭରରେ ସେ ପ୍ୟାଭିଲିୟନ୍‌ ପଠାଇଥିଲେ। ଅନ୍ୟତମ ଓପନର ଯୁବରାଜ ସିଂ(୨୫) ଓ ହିମାଂଶୁ ରାଣା(୨୩)ଙ୍କ ମଧ୍ୟରେ ଏକ ଭାଗୀଦାରି ହେଉଥିବା ସମୟରେ ଉଭୟଙ୍କୁ ଆଉଟ କରିଥିଲେ ସୂର୍ଯ୍ୟକାନ୍ତ। ପରବର୍ତ୍ତୀ ବ୍ୟାଟର ୟଶୁ ଶର୍ମାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରି ହରିୟାଣାକୁ ସଙ୍କଟରେ ପକାଇଥିଲେ ସୂର୍ଯ୍ୟକାନ୍ତ। ସୂର୍ଯ୍ୟକାନ୍ତ ଓଡ଼ିଶା ପାଇଁ ଏକ ଦୃଢ ମୂଳଦୂଆ ସ୍ଥାପନ କରିଥିଲେ ହେଁ ଅନ୍ୟ ବୋଲର ମାନେ ଏହାର ଫାଇଦା ଉଠାଇ ପାରିନଥିଲେ।
ନିଶାନ୍ତ-ରୋହିତଙ୍କ ଶତକୀୟ ଭାଗୀଦାରି
ହରିୟାଣା ୯୧ ରନରେ ୪ ଉଇକେଟ ହରାଇଥିବା ବେଳେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଲରାଉଣ୍ଡର ନିଶାନ୍ତ ସିନ୍ଧୁ ଓ ଉଇକେଟ କିପର ରୋହିତ ପ୍ରମୋଦ ଶର୍ମାଙ୍କ ଶତକୀୟ ଭାଗୀଦାରି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲା। ପଞ୍ଚମ ଉଇକେଟରେ ଉଭୟ ୪୬ ଓଭର ବ୍ୟାଟିଂ କରିବା ସହିତ ୧୫୫ ରନ୍‌ ଯୋଡିଥିଲେ। ସିନ୍ଧୁ ୨୦୯ ବଲର ସମ୍ମୁଖୀନ ହୋଇ ୨୧ ଚୌକା ଓ ଦୁଇ ଛକା ସହିତ ୧୪୨ ରନ୍‌ରେ ବ୍ୟାଟିଂ କରୁଥିବା ବେଳେ ୧୪୫ ବଲରୁ ୫୫ ରନ କରି ଗୋବିନ୍ଦ ପୋଦ୍ଦାରଙ୍କ ବଲରେ ବୋଲ୍ଡ ହୋଇଥିଲେ ରୋହିତ ପ୍ରମୋଦ। ତାଙ୍କ ଇନିଂସରେ ୭ ଚୌକା ସାମିଲ ଥିଲା।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନିଶାନ୍ତ ୧୪୨ ଓ ଜୟନ୍ତ ଯାଦବ ୨୮ ରନରେ ବ୍ୟାଟିଂ କରୁଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୪ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଉଇକେଟ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ହରିୟାଣା ପ୍ରଥମ ଇନିଂସ: ୯୦ ଓଭରରେ ୩୦୬/୫(ନିଶାନ୍ତ ସିନ୍ଧୁ-୧୪୨*, ରୋହିତ ପ୍ରମୋଦ- ୫୫, ଜୟନ୍ତ ଯାଦବ-୨୮*, ସୂର୍ଯ୍ୟକାନ୍ତ ପ୍ରଧାନ-୪/୬୮, ଗୋବିନ୍ଦ ପୋଦ୍ଦାର- ୧/୪୩।

Share