ଥାନାକୁ ଆସିଲେନି ସୂର୍ଯ୍ୟକାନ୍ତ

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ‘ମୋ ସାଇକେଲ’ କବାଡିଖାନାକୁ ଯିବା ତଥା ୩ଶହ ସାଇକେଲ ହଜିବା ନେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଶହୀଦ ନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ଡକ୍‌ରୁ ୫୮ଟି ମୋ ସାଇକେଲ୍‌କୁ ଜବତ ମଧ୍ୟ କରାଯାଇଛି। ଏଥିସହ କବାଡିଖାନାର ମାଲିକଙ୍କୁ ପଚାରଉଚରା କରାଯାଇଥିବାବେଳେ ମାମଲାରେ ଅଧିକ ତଦନ୍ତ ପାଇଁ ହେକ୍ସି କମ୍ପାନୀର ସାଇକେଲ ପରିଚାଳନା ଦାୟିତ୍ୱରେ ଥିବା ସୂର୍ଯ୍ୟକାନ୍ତ ଦଳବେହେରାଙ୍କୁ ବୁଧବାର ଥାନାକୁ ଡକା ଯାଇଥିଲା। ତେବେ ସେ ଥାନାରେ ହାଜର ହୋଇ ନ ଥିଲେ। ଗୁରୁବାର ଦିଲ୍ଲୀରୁ କମ୍ପାନୀର ଜଣେ ଅଧିକାରୀ ଭୁବନେଶ୍ୱରରେ ପହଞ୍ଚତ୍ବା ପରେ ଥାନାରେ ହାଜର ହେବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଜେରା ପରେ ଅନ୍ୟାନ୍ୟ ତଥ୍ୟ ମିଳିପାରିବ। ଚୋରି ହୋଇଥିବା ସମସ୍ତ ସାଇକେଲ ଜବତ କରାଯିବା ସହ ଏହି ଘଟଣାରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ‘ମୋ ସାଇକେଲ ଯୋଜନା’ରେ ହେକ୍ସି କମ୍ପାନୀ ପକ୍ଷରୁ ଆସିଥିବା ୧ହଜାର ସାଇକେଲ ମଧ୍ୟରୁ ଶତାଧିକ କବାଡିଖାନାରେ ବିକ୍ରି ହୋଇଥିଲା। ଏହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଭାଜପା ପକ୍ଷରୁ ଏ ନେଇ ବିକ୍ଷୋଭ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।

Share