Categories: ଖେଳ

ବଡ଼ ଉପଲବ୍ଧି ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୯।୮: ତୃତୀୟ ଟି-୨୦ରେ ଭାରତ ୱେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଫେରିଛି, କିନ୍ତୁ ୱେଷ୍ଟଇଣ୍ଡିଜ ଦଳ ଏପର୍ଯ୍ୟନ୍ତ ୨-୧ରେ ଆଗରେ ରହିଛି। ୱେଷ୍ଟଇଣ୍ଡିଜ ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା। ୱେଷ୍ଟଇଣ୍ଡିଜ୍‌ର ୧୬୦ ରନ୍‌ର ଲକ୍ଷ୍ୟ ୧୮ତମ ଓଭରରେ ଭାରତ ହାସଲ କରିଥିଲା। ଟିମ ଇଣ୍ଡିଆ ପାଇଁ ସୁର୍ଯ୍ୟକୁମାର ଯାଦବ ସର୍ବାଧିକ ସ୍କୋରର ହୋଇଥିଲେ। ସେ ୧୦ ଚୌକା ଓ ଚାରି ଛକା ସହାୟତାରେ ୪୪ ବଲରେ ୮୩ ରନ ସଂଗ୍ରହ କରିଥିଲେ। ଚାରି ଛକା ସହିତ ସୂର୍ଯ୍ୟ ଏକ ସ୍ବତନ୍ତ୍ର କ୍ଲବରେ ଯୋଗ ଦେଇଥିଲେ।
ସୂର୍ଯ୍ୟକୁମାର ଅନ୍ତର୍ଜାତୀୟ ଟି-୨୦ ୧୦୦ଟି ଛକା ପୂରଣ କରିଛନ୍ତି। ସେ ଦ୍ରୁତତମ ଅନ୍ତର୍ଜାତୀୟ ଟି-୨୦ ଛକା ମାରିବାରେ ସେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ୱେଷ୍ଟଇଣ୍ଡିଜର ଇଭିନ ଲୁଇସ ଅଛନ୍ତି, ଯିଏ ୪୨ ତମ ଇନିଂସରେ ଏହା କରିଥିଲେ। ଏଥି ସହିତ ସୂର୍ଯ୍ୟକୁମାର ୪୯ ତମ ଇନିଂସରେ କ୍ରିସ ଗେଲଙ୍କ ସହ ୧୦୦ଟି ଛକା ପୂରଣ କରିଥିଲେ।
ସୂର୍ଯ୍ୟ ବିଶ୍ୱର ୧୪ତମ ଏବଂ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ। ଏହି ତାଲିକାର ଶୀର୍ଷରେ ରହିଛି ଭାରତର ରୋହିତ ଶର୍ମା, ଯିଏ ୧୪୮ ମ୍ୟାଚର ୧୪୦ ଇନିଂସରେ ୧୮୨ ଛକା ମାରିଛନ୍ତି। ୧୭୩ ଛକା ସହ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପିଲ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆରୋନ ଫିଞ୍ଚ ୧୨୫ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତଙ୍କ ବ୍ୟତୀତ ବିରାଟ ମଧ୍ୟ ଭାରତ ପାଇଁ ୧୦୦ ଛକା ମାରିଛନ୍ତି। ୧୧୫ ଟି-୨୦ ମ୍ୟାଚରେ ସେ ୧୧୭ ଛକା ମାରିଛନ୍ତି। ଏହା ବ୍ୟତୀତ କ୍ରିସ ଗେଲ, ପଲ ଷ୍ଟିରଲିଂ, ଇଏନ ମୋର୍ଗାନ, ଜୋସ ବଟଲର୍‌, ଇଭିନ ଲୁଇସ, କଲିନ ମୁନ୍ରୋ, ଗ୍ଲେନ ମ୍ୟାକ୍ସୱେଲ, ଡେଭିଡ ମିଲର ଏବଂ ଡେଭିଡ ୱାର୍ନର ମଧ୍ୟ ଅନ୍ତର୍ଜାତୀୟ ୧୦୦ ଛକା ମାରିଛନ୍ତି।

Share