Categories: ଖେଳ

ବାବରଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର

ଦୁବାଇ, ୨୧।୯:ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଭାରତର ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇ  ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମୋହାଲିରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ଭାରତ ପରାଜିତ ହୋଇଥିଲେ ହେଁ ସୂର୍ଯ୍ୟ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏହି ଇନିଂସ ତାଙ୍କୁ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଥିବା ମହମ୍ମଦ ରିଜଓ୍ବାନଙ୍କ ନିକଟତର କରାଇଛି। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ରିଜଓ୍ବାନ ୮୨୫ ପଏଣ୍ଟ ସହିତ ଶୀର୍ଷସ୍ଥାନ ଅଧିକାର କରିଥିବାବେଳେ ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରାମ ୭୯୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ସୂର୍ଯ୍ୟ ୭୮୦ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଆସିଛନ୍ତି। ବାବର ୭୭୧ ପଏଣ୍ଟରେ ଅଛନ୍ତି। ଭାରତର ତାରକା ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨୨ଟି ସ୍ଥାନ ଉପରକୁ ଉଠି ୬୫ରେ ପହଞ୍ଚତ୍ ଯାଇଛନ୍ତି। ସେହିପରି ଅକ୍ଷର ପଟେଲ ୨୪ଟି ସ୍ଥାନ ଲମ୍ଫମାରି ୩୩ତମ ସ୍ଥାନକୁ ଆସିଛନ୍ତି।
ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋଶ୍‌ ହାଜେଲଉଡ୍‌ ବୋଲରଙ୍କ ତାଲିକାର ଶୀର୍ଷରେ ଅପରାଜିତ ରହିଛନ୍ତି। ପୂର୍ବ ମ୍ୟାଚରେ ସେ ଟିମ୍‌ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଉଇକେଟ ନେଇ ନିଜ ସ୍ଥାନକୁ ସୁଦୃଢ଼ କରିଛନ୍ତି। ଦକ୍ଷିଣ ଆଫ୍ରିକାର ଟାବ୍ରାଇଜ୍‌ ଶାମ୍‌ସି ଓ ଇଂଲଣ୍ଡର ଆଡିଲ ରଶିଦ ପରବର୍ତ୍ତୀ ୨ ସ୍ଥାନରେ ଅଛନ୍ତି। ଟପ୍‌-୧୦ରେ ଭାରତର କେବଳ ଭୁବନେଶ୍ୱର କୁମାର (୯ମ ସ୍ଥାନ) ରହିଛନ୍ତି।

Share