Categories: ଖେଳ

ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହେଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୯।୯: ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦୭ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ଦୁଇଟି ଉଇକେଟ ହରାଇ ମ୍ୟାଚ ଜିତିଥିଲା। ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ଏକ ଜବରଦସ୍ତ ଇନିଂସ ଖେଳିଥିଲେ। ସେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଅର୍ଦ୍ଧଶତର ସାହାଯ୍ୟରେ ସୂର୍ଯ୍ୟକୁମାର ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ଅନ୍ତର୍ଜାତୀୟ ଟି-୨୦ର ଏକ କ୍ୟାଲେଣ୍ଡର ଭାରତ ପାଇଁ ସର୍ବାଧିକ ରନ ସ୍କୋରର ହୋଇଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ସେ ମାତ୍ର ୩୩ ବଲରୁ ଅପରାଜିତ ୫୦ ରନ କରିଥିଲେ। ଏହି ଇନିଂସରେ ସୂର୍ଯ୍ୟକୁମାର ୫ ଚୌକା ଓ ୩ ଛକା ମାରିଥିଲେ। ଏହି ଇନିଂସ ସହାୟତାରେ ସେ ଶିଖର ଧାୱନଙ୍କୁ ପଛରେ ପକାଇ ଦେଇଥିଲେ। ଭାରତ ପାଇଁ ଗୋଟିଏ ବର୍ଷରେ ସର୍ବାଧିକ ରନ ସ୍କୋର କରିବାର ରେକର୍ଡ ଥିଲା ଧାୱନଙ୍କ ନିକଟରେ ଥିଲା। ବର୍ତ୍ତମାନ ସୂର୍ଯ୍ୟକୁମାର ଶୀର୍ଷରେ ପହଞ୍ଚିଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ସୁର୍ଯ୍ୟକୁମାର ୬୯୫ ରନ ସଂଗ୍ରହ କରିଛନ୍ତି। ଧୱନ ୨୦୧୮ ରେ ୬୮୯ ରନ ସ୍କୋର କରିଥିଲେ। ଏହି ପରିପ୍ରେକ୍ଷୀରେ ପୂର୍ବତନ ଅଧିନାୟକ ବିରାଟ କୋହଲି ତୃତୀୟ ସ୍ଥାନରେ ଅଛନ୍ତି। କୋହଲି ୨୦୧୬ରେ ୬୪୧ ରନ ସ୍କୋର କରିଥିଲେ। ଏହି ପ୍ରସଙ୍ଗରେ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ୨୦୧୮ରେ ରୋହିତ ୫୯୦ ରନ ସ୍କୋର କରିଥିଲେ।

Share