ନୂଆଦିଲ୍ଲୀ, ୨୫।୭(ପି.ଟି.)- ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଜୟନ୍ତ ଯାଦବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ଇଂଲଣ୍ଡ ଯିବେ। ସମ୍ପ୍ରତି ଇଂଲଣ୍ଡରେ ଥିବା ଖେଳାଳିଙ୍କ ମଧ୍ୟରୁ ୩ ଜଣ ଆହତ ଅଛନ୍ତି। ତେଣୁ ବଦଳ ଖେଳାଳିଭାବେ ଏହି ତିନିଜଣ ଇଂଲଣ୍ଡ ଗସ୍ତ କରିବେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ପ୍ରକାଶ କରାଯାଇଛି। ଫଳରେ ସୂର୍ଯ୍ୟକୁମାରଙ୍କ ଟେଷ୍ଟ ପଦାର୍ପଣ ସମ୍ଭାବନା ବଢ଼ିଛି। ପୂର୍ବରୁ ଦଳ ସହ ଇଂଲଣ୍ଡ ଗସ୍ତ କରିଥିବା ଶୁବମନ ଗିଲ, ଓ୍ବାଶିଂଟନ ସୁନ୍ଦର ଓ ଆଭେଶ ଖାଁ ଆହତ ହୋଇ ବାଦ୍ ପଡ଼ିଛନ୍ତି। ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ। ଶୁବମନ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଅବସରରେ ଆହତ ହୋଇଥିବାବେଳେ ଓ୍ବାର୍ମଅପ୍ ମ୍ୟାଚ ଅବସରରେ ଆଭେଶ ଖାଁଙ୍କ ବୁଢ଼ା ଅଙ୍ଗୁଳି ଭାଙ୍ଗିଛି। ସେହିପରି ସୁନ୍ଦର ମଧ୍ୟ ହାତ ଆଙ୍ଗୁଳିରେ ଆଘାତ ପାଇଛନ୍ତି। ପୃଥ୍ବୀ ଓ ସୂର୍ଯ୍ୟକୁମାର ଏବେ ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କାରେ ଅଛନ୍ତି।