ନୂଆଦିଲ୍ଲୀ,୧୮।୭: ବିସିସିଆଇ ଗୁରୁବାର ଶ୍ରୀଲଙ୍କା ଗସ୍ତ ପାଇଁ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ କରାଯାଇଛି। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତ ଖାଲି ରହିଯାଇଛି। ଅଧିନାୟକ କଥା ଛାଡ ତାଙ୍କୁ ଉପ-ଅଧିନାୟକ ମଧ୍ୟ ମିଳିଲାନି। ଯେଉଁଠାରେ ପାଣ୍ଡ୍ୟା ଜଣେ ବସିନିୟର ଖେଳାଳି ଏବଂ ସେ ଅଧିନାୟକ ମଧ୍ୟ ହୋଇଛନ୍ତି। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଟିମ ଇଣ୍ଡିଆରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।
ରୋହିତ ଶର୍ମାଙ୍କ ଟି -୨୦ ଅବସର ପରେ ଟିମ ଇଣ୍ଡିଆ ଅଧିନାୟକ ଖୋଜୁଥିଲା। ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଶୁବମାନ ଗିଲଙ୍କୁ ଅଧିନାୟକ କରିଥିଲା। କିନ୍ତୁ ବର୍ତ୍ତମାନ ସୂର୍ଯ୍ୟଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ ପାଇଁ ସୁଯୋଗ ମିଳିଛି। ସୂର୍ଯ୍ୟ ଜଣେ ଅଭିଜ୍ଞ ଖେଳାଳି। କିନ୍ତୁ ଅଧିନାୟକତ୍ୱ ଦୃଷ୍ଟିରୁ ସେ ଟିକିଏ ନୂଆ। ଟିମ ଇଣ୍ଡିଆ ବିଷୟରେ କହିବାକୁ ଗଲେ ହାର୍ଦ୍ଦିକ ହେଉଛନ୍ତି ସୂର୍ଯ୍ୟଙ୍କ ସିନିୟର। କିନ୍ତୁ ତଥାପି ହାର୍ଦ୍ଦିକଙ୍କ ହାତ ଖାଲି ରହିଛି।
ଅଲରାଉଣ୍ଡର ଖେଳାଳି ପାଣ୍ଡ୍ୟା ଅନେକ ଥର ଟିମ ଇଣ୍ଡିଆ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଅଧିନାୟକତ୍ୱର ମଧ୍ୟ ତାଙ୍କର ଭଲ ଅଭିଜ୍ଞତା ରହିଛି। କିନ୍ତୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସେ ଖାଲି ହାତରେ ରହିଛନ୍ତି। ପାଣ୍ଡ୍ୟା ନିଶ୍ଚିତ ଭାବରେ ଦିନିକିଆ ଏବଂ ଟି-୨୦ ଦଳର ଏକ ଅଂଶ। କିନ୍ତୁ କୌଣସି ନେତୃତ୍ୱ ଭୂମିକାଠାରୁ ଦୂରରେ ରହିଛନ୍ତି। ଅଧିନାୟକ କି ଉପ-ଅଧିନାୟକ ଦାୟିତ୍ୱ ତାଙ୍କୁ ମିଳିନାହିଁ। ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ଭାରତ ପାଇଁ ୧୦୦ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୪୯୨ ରନ ସଂଗ୍ରହ କରିଛନ୍ତି । ଏହା ସହିତ ୮୪ ଉଇକେଟ୍ ମଧ୍ୟ ନେଇଛନ୍ତି।