Categories: ଖେଳ

‘ଯଦି ଟି୨୦ରେ ସଫଳ, ତେବେ ଦିନିକିଆରେ ବିଫଳ କାହିଁକି ହେଉଛି’

ନୂଆଦିଲ୍ଲୀ,୨୯।୮: ଏସିଆ କପ୍‌ ଲାଗି ଭାରତୀୟ ସ୍କ୍ବାର୍ଡରେ ସାମିଲ ହୋଇଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମା। ମଧ୍ୟକ୍ରମରେ ଶ୍ରେୟାସ ଆୟର ଖେଳି ନ ପାରିଲେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ସୁଯୋଗ ମିଳିପାରେ। ହେଲେ ସୂର୍ଯ୍ୟକୁମାରଙ୍କ ଦିନିକିଆ ପ୍ରଦର୍ଶନ ସେତେଟା ଉଲ୍ଲେଖନୀୟ ନୁହେଁ। ଏଥିଲାଗି ସେ ଦିନରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି।

ଟି୨୦ରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ସୂର୍ଯ୍ୟକୁମାର। ହେଲେ ଦିନିକିଆରେ ଫେବୃୟାରୀ ୨୦୨୨ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଖେଳିଥିବା ୨୦ ମ୍ୟାଚ୍‌ରେ ସେ ଗୋଟିଏ ବି ଅର୍ଦ୍ଧଶତକ ମାରି ପାରିନାହାନ୍ତି। ନିଜର ପ୍ରଦର୍ଶନ ଏବଂ ପ୍ରସ୍ତୁତି ନେଇ ସେ ଗଣମାଧ୍ୟମକୁ କହିଛନ୍ତି, ମୋତେ ଯେଉଁ ଭୂମିକା ମିଳିବ ତାକୁ ଶତ ପ୍ରତିଶତ ଦେବାକୁ ଚାହୁଁଛି। ଦିନିକିଆରେ ଭଲ ପ୍ରଦର୍ଶନ ଲାଗି ମୁଁ ବ୍ୟାକୁଳ। ସମସ୍ତେ କହୁଛନ୍ତି ମୁଁ ଟି୨୦ରେ ଭଲ ଖେଳୁଛି। ଦେଖିବାକୁ ଗଲେ ଉଭୟ ଫର୍ମାଟରେ ଧଳାବଲ୍‌ ବ୍ୟବହାର ହେଉଛି। ଏଣୁ ମୁଁ ଦିନିକିଆରେ କ’ଣ ପାଇଁ ସଫଳତା ହାସଲ କରିପାରୁନାହିଁ ତାହା ପ୍ରଶ୍ନ। ଏହି ଫର୍ମାଟ ସବୁଠାରୁ ଚ୍ୟାଲେଞ୍ଜିଂ ଥିବାରୁ ମୁଁ ଭଲ ଭାବେ ଅଭ୍ୟାସ କରୁଛି। ଆଶା କରୁଛି ଟୁର୍ନାମେଣ୍ଟରେ ଆଗକୁ ବଢ଼ିବା ସହ ଏହି ଫର୍ମାଟରେ ଭଲ ଖେଳିବାର ପଦ୍ଧତି ଖୋଜି ପାଇବି ବୋଲି ସେ କହିଛନ୍ତି।

Share