Categories: ଖେଳ

ଟି-୨୦ ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୯।୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ ବାର୍ଷିକ ପୁରସ୍କାର ପାଇଁ ଖେଳାଳିଙ୍କ ନାମ ତାଲିକାଭୁକ୍ତ କରିଛି। ଟି-୨୦ ସର୍ଟଲିଷ୍ଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ ତିନି ଖେଳାଳିଙ୍କୁ ମଧ୍ୟ ସର୍ଟଲିଷ୍ଟ କରାଯାଇଛି। ଦିନିକିଆରେ କୌଣସି ଭାରତୀୟ ଖେଳାଳି ସ୍ଥାନ ପାଇ ନାହାଁନ୍ତି। ଉଭୟ ଫର୍ମାଟରେ ପାକିସ୍ତାନରୁ ଜଣେ ଖେଳାଳି ଅଛନ୍ତି।
ପ୍ଲେୟାର ଅଫ ଦି ଇୟର ପୁରସ୍କାର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟତୀତ ଜିମ୍ବାୱେର ସିକନ୍ଦର ରାଜା, ଇଂଲଣ୍ଡର ସାମ କରଣ ଏବଂ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ମନୋନୀତ କରାଯାଇଛି। ଏଥି ସହିତ ଦିନିକିଆରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା, ଜିମ୍ବାୱେର ସିକନ୍ଦର ରାଜା ଏବଂ ୱେଷ୍ଟଇଣ୍ଡିଜ ସାଇ ହୋପଙ୍କ ନାମ ସର୍ଟଲିଷ୍ଟ କରାଯାଇଛି।
୨୦୨୨ରେ ୩୧ ଟି-୨୦ ମ୍ୟାଚରେ ସୂର୍ଯ୍ୟକୁମାର ୧୧୬୪ ରନ ସ୍କୋର କରିଥିଲେ। ସେ ମଧ୍ୟ ଚଳିତ ବର୍ଷ ଟି-୨୦ରେ ସର୍ବାଧିକ ରନ ସ୍କୋରର ଅଟନ୍ତି। ତାଙ୍କର ଷ୍ଟ୍ରାଇକ ରେଟ୍‌ ୧୮୭.୪୩ ଥିଲା। ସୁର୍ଯ୍ୟକୁମାର ମଧ୍ୟ ଚଳିତ ବର୍ଷ ସର୍ବାଧିକ ୬୮ ଛକା ମାରିଛନ୍ତି। ଏହି ସମୟ ମଧ୍ୟରେ ସେ ଦୁଇ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଥିଲେ।

Share