Categories: ବାଣିଜ୍ୟ

ରିଲାଏନ୍ସ ରିଟେଲରେ ନିବେଶ କରିବ ସିଲ୍‌ଭରଲେକ୍‌

ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ପୁଞ୍ଜିନିବେଶକାରୀ କମ୍ପାନୀ ସିଲ୍‌ଭରଲେକ ଶନିବାର ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ରେ ପ୍ରାୟ ୭,୫୦୦ କୋଟି ଟଙ୍କା ନିବେଶ କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ,ସିଲ୍‌ଭରଲେକର ଏହି ନିବେଶ ଦ୍ୱାରା କମ୍ପାନୀ ଲାଗି ବେଶ୍‌ ଲାଭଦାୟକ ହେବ। ବଜାରରେ ସ୍ଥିତି ଦୃଢ଼ କରିବା ଦିଗରେ ଏହା ସହାୟକ ହେବ। ସେହିଭଳି କମ୍ପାନୀର ରିଟେଲ ବ୍ୟବସ୍ଥାକୁ ଏହା ଆଗକୁ ବଢ଼ାଇବା ଲାଗି କାର୍ଯ୍ୟ କରିବ ବୋଲି ଅମ୍ବାନୀ ସ୍ପଷ୍ଟ କରିଛନ୍ତି। ଏହି ନିବେଶ ବଳରେ ସିଲ୍‌ଭରଲେକ ପ୍ରାୟ ୧.୭୫% ଇକ୍ୱିଟି ଅଂଶଧନ ହାସଲ କରିବ। ଏହି କମ୍ପାନୀ ଚଳିତ ବର୍ଷ ରିଲାଏନ୍ସର ଜିଓ ପ୍ଲାଟ୍‌ଫର୍ମସରେ ୧୦,୨୦୨.୫୫ କୋଟି ଟଙ୍କା ନିବେଶ କରିଥିଲା। ରିଲାଏନ୍ସ ରିଟେଲ ବର୍ତ୍ତମାନ ସମୟରେ ସାରା ଦେଶରେ ୧୨ ହଜାରରୁ ଊର୍ଦ୍ଧ୍ୱ ଷ୍ଟୋର ମାଧ୍ୟମରେ ଗ୍ରାହକମାନଙ୍କୁ ସେବା ଯୋଗାଇ ଦେଉଥିବା ସୂଚନା ମିଳିଛି।

Share