ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି। ବିହାର ଏବଂ ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଏହି ମାମଲାରେ ଭିନ୍ନ ବିବୃତ୍ତି ଦେଇଛନ୍ତି। ଶିବସେନା ମୁଖପାତ୍ର ସାମନା ଜରିଆରେ ସୁଶାନ୍ତଙ୍କ ମାମଲାରେ ମୁହଁ ଖୋଲିଛନ୍ତି। ସେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ଏହି ମାମଲା ଭିତରକୁ ଟାଣି ଆଣିଛନ୍ତି। ରାଉତ ଲେଖିଛନ୍ତି – ସୁଶାନ୍ତଙ୍କ ଜୀବନରେ ଦୁଇଜଣ ଯୁବତୀ ଥିଲେ – ଅଙ୍କିତା ଲୋଖଣ୍ଡେ ଏବଂ ରିୟା ଚକ୍ରବର୍ତ୍ତୀ। ଅଙ୍କିତା ସୁଶାନ୍ତଙ୍କୁ ଛାଡିଥିଲେ, କିନ୍ତୁ ଅଭିଯୋଗର ସମ୍ମୁଖୀନ ହେଉଥିବା ରିୟା ତାଙ୍କ ସହ ଥିଲେ। ଏଭଳି ପରିସ୍ଥିତିରେ ଅଙ୍କିତା ସୁଶାନ୍ତଙ୍କୁ କାହିଁକି ଛାଡିଛନ୍ତି ତାହା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ। ଏହି ସୂଚନା ସର୍ବସାଧାରଣ ଜାଣିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପିତାଙ୍କ ସହ ସୁଶାନ୍ତଙ୍କର ବହୁତ ଭଲ ସମ୍ପର୍କ ନଥିଲା। ସୁଶାନ୍ତଙ୍କ ପିତା ଭ୍ରମିତ ହୋଇଥିଲେ, ଏହି କାରଣରୁ ସେ ମୁମ୍ବାଇରେ ଘଟିଥିବା ଘଟଣା ପାଇଁ ବିହାରରେ ମାମଲା ରୁଜୁ କରିଥିଲେ। ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, କିଛି ଲୋକ ବିନା ପ୍ରମାଣରେ ଏହାକୁ ହତ୍ୟା କହୁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସୁଶାନ୍ତ ଗତ ଜୁନ ୧୪ରେ ନିଜ ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ।