ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟ ଗଲା ସିବିଆଇ

ନୂଆଦିଲ୍ଲୀ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବହୁବାର ବାନ୍ଦ୍ରା ଡିସିପିଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ଅନେକ ଥର ଡିସିପିଙ୍କୁ କଲ ମଧ୍ୟ କରିଥିବା ରିୟାଙ୍କ କଲ ଡିଟେଲ୍ସରୁ ଜଣାପଡିଛି। ଅପରପକ୍ଷେ ବିହାର ପୋଲିସ ପରାମର୍ଶକ୍ରମେ ସିବିଆଇ ଏହି ମାମଲାରେ ୬ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ସେପଟେ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ବିରୋଧ କରୁଥିବାରୁ ସିବିଆଇ କାହାରିକୁ ଜେରା କରିପାରୁନାହିଁ। ଏ ନେଇ ଶୁକ୍ରବାର ସିବିଆଇ ସୁପ୍ରିମକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି। ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଗୋଟିଏ ପକ୍ଷ ହେବା ପାଇଁ ଆବେଦନ କରିଛି। ସେହିପରି ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ବିହାରରେ ରୁଜୁ ହୋଇଥିବା ମାମଲାକୁ ମୁମ୍ବାଇ ବଦଳି କରି ଆଣିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ବିହାର ସରକାରଙ୍କ ପରାମର୍ଶକ୍ରମେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ Department of Personnel and Training ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

Share