ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା ପ୍ରସ୍ତାବକୁ ସୁଶାନ୍ତଙ୍କ ଜୟନ୍ତୀ ଅବସରରେ ଗୁରୁବାର ମଞ୍ଜୁରୀ ମିଳିଛି।

ଗତବର୍ଷ ଜୁନ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ପ୍ଲାଟରେ ମିଳିଥିଲା ସୁଶାନ୍ତଙ୍କ ମରଶରୀର। ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ପଦାକୁ ଆସିପାରି ନାହିଁ। ଏହି ଅଭିନେତାଙ୍କ ଜୟନ୍ତୀ ଅବସରରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନମାନେ ଦୁଃଖ ପ୍ରକାଶ କରିଛନ୍ତି। ଏସ୍‌ଡିଏମ୍‌ସିର କଂଗ୍ରେସ କାଉନ୍ସିଲର ଅଭିଷେକ ଦତ୍ତ ଗତବର୍ଷ ସେପ୍ଟେମ୍ବରରେ ସୁଶାନ୍ତଙ୍କ ନାମରେ ରୋଡ୍‌କୁ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ଆଣ୍ଡ୍ରିୟୁ ଗଞ୍ଜ କାଉନ୍ସିଲର ରୋଡ ନେମିଂ ଓ ରିନେମିଂ କମିଟି ନିକଟକୁ ପଠାଇଥିଲେ ଏହି ପ୍ରସ୍ତାବ। ଲିଖିତ ପ୍ରସ୍ତାବରେ ଦତ୍ତ ଲେଖିଥିଲେ, ୮ ନଂ ରୋଡ୍‌ରେ ବିହାରର ବହୁ ଲୋକ ବସବାସ କରୁଛନ୍ତି। ଆଉ ସେମାନେ ଏହି ରୋଡ୍‌କୁ ‘ସୁଶାନ୍ତ ସିଂ ରାଜପୁତ ମାର୍ଗ’ ନାମରେ ନାମିତ କରିବାକୁ ଦାବି କରିଛନ୍ତି।

Share