ପୁଣି ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହେଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ ରହିଛି ମାମଲା…

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କୃଷ୍ଣ କିଶୋର ସିଂହ। ପୁଅଙ୍କ ଜୀବନ ଉପରେ ଆଧାରିତ ଚାରି ଫିଲ୍ମ ଏବଂ ଦୁଇ ପୁସ୍ତକ ଉପରେ ରୋକ ଲଗାଇବାକୁ ସେ ଦାବି କରିଛନ୍ତି। ଅଭିନେତାଙ୍କ ସମ୍ମାନ, ବ୍ୟକ୍ତିଗତ ଜୀବନ ଏବଂ ଅଧିକାରକୁ ରକ୍ଷା କରିବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି। କୋର୍ଟ ଏହାକୁ ବିଚାର କରି ନୋଟିସ ଜାରି କରିଛନ୍ତି। ତେବେ ନଭେମ୍ବର ୧୬ରେ ଏହି ମାମଲାର ଆଗାମୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଦିବଂଗତ ଅଭିନେତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିସ’ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଥିଲେ। ଗୋପନୀୟତା, ପ୍ରଚାର ଏବଂ ବ୍ୟକ୍ତିତ୍ୱ ଅଧିକାର ମୃତ୍ୟୁ ସହ ଶେଷ ହୋଇଛି ବୋଲି କୋର୍ଟ କହିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅଭିନେତାଙ୍କ ବାପା ଦୁଇଜଣିଆ ଖଣ୍ଡପୀଠର ଦ୍ୱାରସ୍ଥ ହୋଇଛନ୍ତି। ଫିଲ୍ମ ନିର୍ମାଣ ପୂର୍ବରୁ କୌଣସି ପରାମର୍ଶ ନେଇ ନ ଥିବା ସେ କହିଛନ୍ତି।

Share