ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଦିଲ୍‌ ବେଚାରାର ହିରୋଇନ୍‌ଙ୍କୁ ପୋଲିସର ପଚରାଉଚରା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ୨୬ ଜଣଙ୍କୁ ପଚରାଉଚରା କରିଥିବା ବେଳେ ସଞ୍ଜନା ସାଙ୍ଗୀକୁ ଡକାଇ ପଚରାଉଚରା କରିଛି। ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ଚଳଚ୍ଚିତ୍ର ଦିଲ୍‌ ବେଚରାର ହିରୋଇନ୍‌ ହେଉଛନ୍ତି ସଞ୍ଜନା।
ସୁଶାନ୍ତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ତିନିଟି ଦଳ ଗଠନ କରିଛି। ଏହି ତିନି ଦଳର କାର୍ଯ୍ୟକୁ ଏପରି ଭାବରେ ବିଭକ୍ତ କରାଯାଇଛି ଯେ ଏହି ମାମଲାରେ ଯଥାସମ୍ଭବ ପ୍ରମାଣ ସଂଗ୍ରହ କରାଯାଇପାରିବ। ଏହା ସହ ଆତ୍ମହତ୍ୟା ପଛର କାରଣ ସାମ୍ନାକୁ ଆସିପାରିବ। ଏହି ସମୟରେ, ପ୍ରକାଶିତ ଆର୍ଟିକିଲରେ ଏମ୍‌ପି ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ଯେ ଲୋକପ୍ରିୟ ନେତା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ବାୟୋପିକ ପାଇଁ ସୁଶାନ୍ତ ମଧ୍ୟ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଦେଶର ଶକ୍ତିଶାଳୀ ଶ୍ରମିକ ନେତାଙ୍କ ମଧ୍ୟରେ ଫର୍ଣ୍ଣାଣ୍ଡିଜଙ୍କୁ ଗଣନା କରାଯାଇଛି। ସେ ଦେଶର ଇତିହାସରେ ପ୍ରଥମ ରେଳ ଷ୍ଟ୍ରାଇକର ଆୟୋଜନ କରିଥିଲେ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ରବିବାର ୧୪ ଜୁନରୁ ୨୭ ଜୁନ୍‌ ପର୍ଯ୍ୟନ୍ତ ପୋଲିସ ଅନେକ କିଛି ପ୍ରମାଣ ପାଇଛି। ଯାହା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଖୋଜିବାକୁ ସହାୟକ ହେବ। ଏପର୍ଯ୍ୟନ୍ତ ପୋଲିସ ଏହି ମାମଲାରେ ସୁଶାନ୍ତଙ୍କ ସାଙ୍ଗ, ପରିଚିତ ଏବଂ ପରିବାର ସଦସ୍ୟଙ୍କ ସମେତ ୨୭ ଜଣଙ୍କ ବୟାନ ରେକର୍ଡ କରିଛି। ସୁଶାନ୍ତ ସାମାଜିକ ପ୍ରତିଷ୍ଠା ହରାଇ ହଇରାଣ ହୋଇଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ଏହି ସବୁ ତାଙ୍କ ଲାଗି କରାଯାଉଛି।
ସୁଶାନ୍ତଙ୍କ ନାମ ନ ନେଇ ତାଙ୍କ ଉପରେ ତୀବ୍ର ଆକ୍ରମଣ ହୋଇଥିବା ରିପୋର୍ଟ ମଧ୍ୟ ପୋଲିସ ପଢ଼ିବା ଆରମ୍ଭ କରିଛି। ଏହି ରିପୋର୍ଟଗୁଡିକରେ, ସୁଶାନ୍ତଙ୍କୁ ଦାୟିତ୍ୱହୀନ ଏବଂ ଚରିତ୍ରହୀନ ପ୍ରମାଣ କରିବାକୁ ଚେଷ୍ଟା କରାଯାଇଥିଲା। କେତେକ ୱେବସାଇଟ ଏହି ରିପୋର୍ଟକୁ ପୋଲିସ ନିକଟରେ ପହଞ୍ଚାଇବାକୁ ସାହାଯ୍ୟ କରିଛି।

Share