ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଇଲେ ଶାହା

ନୂଆଦିଲ୍ଲୀ,୧୫।୭: ବଲିଉଡ୍‌ ଭର୍ସାଟାଇଲ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟାର ଏକ ମାସ ବିତିସାରିଲାଣି। ହେଲେ ତାଙ୍କୁ ହରାଇବାର କଷ୍ଟ ଏବେ ବି ପରିବାର ସମ୍ପର୍କୀୟ ଓ ପ୍ରଶଂସକ ମନରୁ ଲିଭିପାରିନାହିଁ। ସୁଶାନ୍ତଙ୍କ ଭଳି ଜଣେ ସଫଳ ଅଭିନେତା ଏଭଳି ପଦକ୍ଷେପ କାହିଁକି ଗ୍ରହଣ କଲେ ତାହା ଆଜି ବି ଅସ୍ପଷ୍ଟ ରହିଥିବା ବେଳେ ଏହାକୁ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି। ଏଥିପାଇଁ ରାଜନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ମଧ୍ୟ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି। ଇତିମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ମାସ ବିତିଯିବା ପରେ ପୂର୍ବତନ ଏମ୍‌ପି ପପୁ ଯାଦବ ଏନେଇ ଏକ ଟୁଇଟ କରିଛନ୍ତି। ସୁଶାନ୍ତଙ୍କ ମାମଲାର ସିବିଆଇ ତଦନ୍ତ ପାଇଁ ପପୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଥିଲେ। ତେବେ ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଶାହା ଉକ୍ତ ଚିଠିକୁ ସଂପୃକ୍ତ ମନ୍ତ୍ରଣାଳୟକୁ ପଠାଇଛନ୍ତି ବୋଲି ପପୁ ଟୁଇଟ କରି ବୁଧବାର ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ, ବିହାରର ଗୌରବ ତଥା ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ପାଇଁ ପପୁ ଯାଦବ ସ୍ବରାଷ୍ଟ୍ରମନ୍ତ୍ରୀ ଶାହାଙ୍କୁ ଚିଠି ଲେଖି ଜଣାଇଥିଲେ। ଏହାର ପ୍ରତି ଉତ୍ତରରେ ଶାହା ମଧ୍ୟ ପପୁ ଯାଦବଙ୍କୁ ଏକ ଚିଠି ପଠାଇଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ଚିଠି ପଠାଯାଇଛି।

Share