ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ କେବଳ ଯେ ବଲିଉଡ୍ ତାହା ନୁହେଁ ପୁରା ଦେଶ ଚକିତ ହୋଇଯାଇଛି। ଘଟଣାକୁ ଅନେକ ଦିନ ବିତିଥିଲେ ହେଁ ପ୍ରଶଂସକମାନେ ଏହାକୁ ଗ୍ରହଣ କରିବାକୁ ନାରାଜ। ଏସବୁ ମଧ୍ୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ କଥାକୁ ଲୋକଲୋଚନକୁ ଆଣୁଛନ୍ତି। ଏଇ ଯେପରି ଚାନ୍ଦରେ ଜାଗା କିଣିବା ଘଟଣା।
ପ୍ରାରମ୍ଭିକ ଜୀବନ ଆରମ୍ଭ କରିବା ସମୟରେ ସୁଶାନ୍ତଙ୍କ ପ୍ରଥମ ଦରମା ଥିଲା ୨୫୦ ଟଙ୍କା। ହେଲେ ନିଜର ପରିଶ୍ରମ ବଳରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସ୍ବପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ। ସେଥିରୁ ଗୋଟିଏ ହେଉଛି ଜହ୍ନରେ ଜାଗା କିଣିବା। ସୁଶାନ୍ତ ପ୍ରଥମ ଅଭିନେତା ଥିଲେ ଯିଏ ଜହ୍ନରେ ଏକ ପ୍ଲଟ କିଣିଥିଲେ। ଏପରିକି ନିଜ ଜାଗାକୁ ଦେଖିବା ପାଇଁ ଏକ ବାଇନୋକୁଲାର୍ କିଣି ଆଣିଥିଲେ।
ସୁଶାନ୍ତ ଏହି ଜମିକୁ ଇଣ୍ଟରନ୍ୟାଶନାଲ ଲୁନାର ଲ୍ୟାଣ୍ଡ ରେଜିଷ୍ଟ୍ରୀଠାରୁ କିଣିଥିଲେ। ୨୦୧୮ ଜୁନ ୨୫ ତାରିଖରେ ଏହି ପ୍ଲଟକୁ ସେ ନିଜ ନାମରେ କରିଥିଲେ। ତେବେ ଏହି ଜମିରେ କିଛି ଭିନ୍ନ ସନ୍ଧି ରହିଛି। ତଦନୁଯାୟୀ ପୃଥିବୀ ବାହାରେ ଥିବା ସମ୍ପତ୍ତି ସମଗ୍ର ମାନବ ଜାତିର। ଏହା ଉପରେ ସମସ୍ତଙ୍କର ଅଧିକାର ରହିଛି। ଏଣୁ ଆଇନ ଅନୁଯାୟୀ ତାହା ସୁଶାନ୍ତଙ୍କୁ ମାଲିକାନା ଦେଉନାହିଁ।