ମୁମ୍ବାଇ, ୧।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ରହସ୍ୟ ଏବେ ବି ଜଣାପଡ଼ିନି। ଏହାର ଯାଞ୍ଚ୍ ସିବିଆଇ କରୁଛି। ଇତିମଧ୍ୟରେ ବହୁ ଲୋକଙ୍କୁ ପଚରା ଉଚରା କରାଯାଇଛି। ପଚରା ଉଚରା ସମୟରେ ସୁଶାନ୍ତଙ୍କ ପୂର୍ବତନ ହାଉସ୍ ମ୍ୟାନେଜର ସେମୁୟଲ ମିରାଣ୍ଡା ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ଅଧିକାଂଶ ଦିନ ରାତିରେ ସୁଶାନ୍ତ କାନ୍ଦୁଥିଲେ। ଅଧାରାତିରୁ ଉଠି ସେ କାନ୍ଦିବା ସହିତ ହନୁମାନଙ୍କ ମୂର୍ତ୍ତିକୁ କୁଣ୍ଢାଇ ଧରୁଥିଲେ। ଘରେ ଭୂତପ୍ରେତ ଥିବା ଆଶଙ୍କା କରି ସୁଶାନ୍ତ କାନ୍ଦୁଥିବା ମିରାଣ୍ଡା କହିଛନ୍ତି। ସେ ସୁଶାନ୍ତଙ୍କ ହାଉସ୍ ଷ୍ଟାପ୍ଙ୍କ କାମ ତଦାରଖ କରିବା ସହିତ ସେମାନଙ୍କୁ ଦରମା ଆଦି ପ୍ରଦାନ କାର୍ଯ୍ୟ କରୁଥିବା ସିବିଆଇକୁ କହିଛନ୍ତି। ୨୦୧୯ରେ ରିଆ ଚକ୍ରବର୍ତ୍ତୀଙ୍କ ସହିତ ସୁଶାନ୍ତଙ୍କର ପରିଚୟ ହେବାପରେ ଅଧିକାଂଶ ଦିନ ଘରେ ପାର୍ଟି ଆୟୋଜିତ ହେଉଥିଲା। ତେବେ ସୁଶାନ୍ତ କମ୍ ପାର୍ଟିରେ ଯୋଗଦେଉଥିଲେ। ପ୍ରାୟତଃ ସେ ନିଜ ରୁମ୍ରେ ବନ୍ଦ ହୋଇ ରହିବାକୁ ପସନ୍ଦ କରୁଥିଲେ ବୋଲି ମିରାଣ୍ଡା କହିଛନ୍ତି।