ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରିୟା: ସୁଶାନ୍ତଙ୍କ ଭଉଣୀ ଲେଖିଲେ ‘ହର ହର ମହାଦେବ’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଇତିମଧ୍ୟରେ ଏହି ମାମଲା ଇଡି ଓ ସିବିଆଇ ହାତକୁ ଯାଇଛି। ତଦନ୍ତ ବେଳେ ଟଙ୍କା ହେରଫେର କଥା ଉଠୁଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ।

ପାଟଣା ଥାନାରେ ସୁଶାନ୍ତଙ୍କ ବାପା ରିୟାଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରଠାରୁ ସେ ଫେରାର ହୋଇଯାଇଥିଲେ। ଶୁକ୍ରବାର ଇଡିରେ ପହଞ୍ଚିବା ପାଇଁ ତାଙ୍କୁ ସମନ ହୋଇଥିଲା। ପ୍ରଥମେ ମନା କରାଯାଉଥିଲେ ହେଁ ଶେଷରେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏବେ ତାଙ୍କୁ ପଚରାଉଚରା କରାଯାଉଥିବା ବେଳେ ସୁଶାନ୍ତଙ୍କ ଭଉଣୀ ଏକ ପୋଷ୍ଟ ଲେଖି ନିଜର ଖୁସି ବ୍ୟକ୍ତ କରିଛନ୍ତି।

ଶ୍ୱେତା ସିଂ କୀର୍ତ୍ତି ଫେସବୁକ-ଇନ୍‌ଷ୍ଟାଗ୍ରାମରେ ମହାଦେବଙ୍କ ଫଟୋ ଶେୟାର କରିଛନ୍ତି ଏଥିସହ କ୍ୟାପ୍‌ଶନରେ ହର ହର ମହାଦେବ। ସୁଶାନ୍ତଙ୍କ ପାଇଁ ନ୍ୟାୟ। ଭଗବାନ ଆମ ସହ ଅଛନ୍ତି ବୋଲି ସେ ଲେଖିଛନ୍ତି। ଏହାଛଡ଼ା ଏକ ଲେଖା ମଧ୍ୟ ରହିଛି। ଯେଉଁଥିରେ କୁହାଯାଇଛି, ଜଣେ କହିଥିଲେ ଯାହା ସହ ତୁମେ ଲଢ଼େଇ କରୁଛ, ତାଙ୍କଠାରୁ ସାବଧାନ ରୁହ କାରଣ ତୁମେ ଜାଣିନ ଦୁନିଆରେ କିଏ ତୁମର ରକ୍ଷା କରୁଛି। ଏହା ଉପରେ ଅଙ୍କିତା ଲୋଖଣ୍ଡେ କମେଣ୍ଟ କରି ଢ଼େର ସାରା ପ୍ରାର୍ଥନା ବୋଲି ଲେଖିଛନ୍ତି।
ଏହାପୂର୍ବରୁ ଶ୍ୱେତା ଭଗବାନ ଶିବଙ୍କ ସହ ସୁଶାନ୍ତ ଥିବା ଏକ ଫଟୋ ଶେୟାର କରିଥିଲେ। ଏହାକୁ ସେ ଫେସବୁକ୍‌ ପୃଷ୍ଠାରେ ପ୍ରୋଫାଇଲ ଫଟୋ କରିଛନ୍ତି।

Share