ପାଟନା, ୨।୧୨: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ବୁଧବାର ପାଟନାରେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ସୁଶୀଲଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଉପସ୍ଥିତ ରହିଥିଲେ। ସେ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ପୂରା ସମର୍ଥନ ରହିଛି ବୋଲି ନୀତିଶ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ରାମ ବିଳାସ ପାସଓ୍ବାନଙ୍କ ନିଧନ ପରେ ବିହାର ରାଜ୍ୟ ସଭାରେ ଗୋଟିଏ ସିଟ୍ ଖାଲି ରହିଥିଲା। ଏବେ ସୁଶୀଲ ମୋଦିଙ୍କୁ ଏନ୍ଡିଏ ପକ୍ଷରୁ ଏହି ସୁଯୋଗ ଦିଆଯାଇଛି। ଅନ୍ୟପଟେ ନାମାଙ୍କନ ଦାଖଲ କରିବା ପରେ ସୁଶୀଲ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ଧନ୍ୟବାଦ ଜଣାଇବା ସହ ଦିଲ୍ଲୀ ଯାଇ ବିହାର ପାଇଁ କାମ କରିବେ ବୋଲି କହିଛନ୍ତି। ସୂଚନା ମୁତାବକ ସୁଶୀଲ ମୋଦି ପୂର୍ବରୁ ବିହାରରେ ବିଧାନପରିଷଦ, ବିଧାନସଭା ଓ ଦିଲ୍ଲୀରେ ଲୋକ ସଭା ସଦସ୍ୟ ରହିସାରିଛନ୍ତି। ହେଲେ ଏବେ ରାଜ୍ୟ ସଭା ସଦସ୍ୟ ହେବାକୁ ଯାଉଛନ୍ତି।