Categories: ଜାତୀୟ

ଶ୍ରାବଣରେ ମଟନ ଖାଇବା-ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ସୁଶୀଲ ମୋଦି-ପପୁ ଯାଦବ ମୁହାଁମୁହିଁ…

ପାଟନା,୫।୯ : ଜନ ଅଧିକାର ପାର୍ଟି(ଜେଏପି) ସୁପ୍ରିମୋ ପପୁ ଯାଦବ ଏବଂ ଭାଜପାର ସୁଶୀଲ ମୋଦିଙ୍କ ମଧ୍ୟରେ ଶ୍ରାବଣ ମାସରେ ମଟନ ଖାଇବା ତଥା ଅଶ୍ଳୀଳ ଭିଡ଼ିଓ ଦେଖିବା ନେଇ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ପପୁ ଯାଦବ ସୁଶୀଲ ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ନେତାମାନେ ଶ୍ରାବଣ ମାସରେ ଅଶ୍ଳୀଳ ଭିଡ଼ିଓ କାହିଁକି ଦେଖନ୍ତି? ଏହା ନନ୍‌ ଭେଜ ନୁହେଁ କି? ଯଦି ଆମେ ଟଙ୍କା ପାଇବୁ ତେବେ କ’ଣ ଶ୍ରାବଣରେ ଛାଡିଦେକୁ କି। ବାସ୍ତବରେ ଲାଲୁ ଯାଦବ ମଟନ ରାନ୍ଧି ରାହୁଲ ଗାନ୍ଧୀଙ୍କୁ ଖାଇବାକୁ ଦେବା ପରେ ଭାଜପା ରାଜ୍ୟସଭା ଏମପି ସୁଶୀଲ ମୋଦି ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ କେତେକ ଲୋକ ଅଛନ୍ତି ସେମାନେ ଶ୍ରାବଣ ମାସରେ ନନ୍‌ ଭେଜ ଖାଆନ୍ତି ଏବଂ ବିଭିନ୍ନ ନନ୍‌ ଭେଜ କଥାବାର୍ତ୍ତା ମଧ୍ୟ କରନ୍ତି ।

ଏନେଇ ଗଣମାଧ୍ୟମ ପକ୍ଷରୁ ପ୍ରଶ୍ନ ପଚରାଯାଇଥିବାବେଳେ ପପୁ ଯାଦବ କହିଛନ୍ତି, ସୁଶୀଲ ଭାଇଙ୍କୁ ପଚାର, ଯଦି ସେ ମଙ୍ଗଳବାର, ବୁଧବାର ଏବଂ ଶ୍ରାବଣରେ ଟଙ୍କା ପାଆନ୍ତି, ତେବେ ସେ ଛାଡିଦେବେ କି ? ନେତାମାନେ ଅଶ୍ଳୀଳ ଭିଡ଼ିଓ ଦେଖିବା ବନ୍ଦ କରି ପାରିବେ କି? ନେତାମାନେ ଶ୍ରାବଣ ମାସରେ ଅଶ୍ଳୀଳ ଭିଡ଼ିଓ କାହିଁକି ଦେଖନ୍ତି, ସେସବୁ କ’ଣ ନନ୍‌ ଭେଜ ନୁହେଁ? ମଦ୍ୟପାନ କରିବା ନନ୍‌ ଭେଜ ନୁହେଁ କି? ଶ୍ରାବଣରେ ତିନୋଟି ବିବାହ କରିବା କ’ଣ ନନ୍‌ ଭେଜ ନୁହେଁ? ଅନ୍ୟ ଜାତିକୁ ଛୋଟ ବୋଲି କହିବା ନନ୍‌-ଭେଜ ନୁହେଁ। ସୁଶୀଲ ଭାଇ, ଦୟାକରି ଆପଣଙ୍କର ମୋବାଇଲ ଯାଞ୍ଚ କରନ୍ତୁ କି ଆପଣ ପର୍ନ ଭିଡ଼ିଓ ଦେଖିଛନ୍ତି କି ନାହିଁ?

ଲାଲୁ ଯାଦବଙ୍କୁ ସୁଶୀଲ ସମାଲୋଚନା କରିଥିବାରୁ ପପୁ ଯାଦବ କହିଛନ୍ତି ଓଟ ବସିଥିଲେ ମଧ୍ୟ ଏହା ଗଧଠାରୁ ଅଧିକ ଉଚ୍ଚ ହେବ।

ନିକଟରେ ସୋସିଆଲ ମିଡିଆରେ କଂଗ୍ରେସ ଦ୍ୱାରା ଏକ ଭିଡିଓ ଶେୟାର କରାଯାଇଥିଲା ଯେଉଁଥିରେ ଲାଲୁ ଯାଦବ ତାଙ୍କ ଝିଅ ମିସା ଭାରତୀଙ୍କ ବାସଭବନରେ ରାହୁଲ ଗାନ୍ଧୀଙ୍କୁ ଆତିଥେୟତା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଲାଲୁ ଯାଦବ ତାଙ୍କୁ ସ୍ବାଦିଷ୍ଟ ମଟନ ତିଆରି କରିବାର ରେସିପି କହିଥିଲେ ଏବଂ ଉଭୟଙ୍କ ମଧ୍ୟରେ ରାଜନୈତିକ କଥାବାର୍ତ୍ତା ମଧ୍ୟ ହୋଇଥିଲା। ଏହା ପରେ ରାହୁଲ ଗାନ୍ଧୀ ଲାଲୁ ଯାଦବଙ୍କ ସହ ରାତ୍ରୀ ଭୋଜନ କରିଥିଲେ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଇଁ ରନ୍ଧା ହୋଇଥିବା ମଟନ ମଧ୍ୟ ନେଇଥିଲେ। ଏ ସମ୍ପର୍କରେ ସୁଶୀଲ ମୋଦି କହିଥିଲେ ଲାଲୁ ଯାଦବ ଶ୍ରାବଣରେ ମଧ୍ୟ ନନ୍‌ ଭେଜ ଖାଉଛନ୍ତି ଏବଂ ସେଭଳି କଥାବାର୍ତ୍ତା କରୁଛନ୍ତି।

Share