ପାଟନା, ୧୫।୧୦: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଇତିମଧ୍ୟରେ ଆର୍ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ରାଘୋପୁର ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଜସ୍ବୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କର ମୋଟ ସମ୍ପତ୍ତି ପରିମାଣ ୫ କୋଟି ୮୮ ଲକ୍ଷ। ଏହାକୁ ନେଇ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ସଦସ୍ୟ ସୁଶିଲ କୁମାର ମୋଦି ତେଜସ୍ବୀଙ୍କୁ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି। ସୁଶିଲ କହିଛନ୍ତି ତେଜସ୍ବୀ ଚାକିରି ନ କରି ମଧ୍ୟ ତାଙ୍କ ପାଖରେ ଏତେ ପରିମାଣର ସମ୍ପତ୍ତି ଆସିଲା କେଉଁଠୁ। ଗତ ୫ ବର୍ଷରେ ତେଜସ୍ବୀଙ୍କ ସମ୍ପତ୍ତି ପରିମାଣ ସାଢ଼େ ୩ କୋଟି ବଢ଼ିଥିବା ନେଇ ମଧ୍ୟ ସୁଶିଲ ପ୍ରଶ୍ନ କରିଛନ୍ତି। ୨୦୧୫ରେ ତେଜସ୍ବୀଙ୍କ ସମ୍ପତ୍ତି ପରିମାଣ ୨ କୋଟି ୧୩ ଳକ୍ଷ ଥିଲା। ବଡ଼ ଭାଇ ତେଜ ପ୍ରତାପ ଯାଦବଙ୍କ ମୋଟ ସମ୍ପତ୍ତି ପରିମାଣ ୨ କୋଟି ୮୩ ଲକ୍ଷ ଟଙ୍କା ଥିବାବେଳେ ତେଜସ୍ବୀଙ୍କ ସମ୍ପତ୍ତି ତାଙ୍କଠାରୁ ବି ଅଧିକ ରହିଛି। ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ତେଜସ୍ବୀଙ୍କ ପାଖରେ ନଗଦ ଲକ୍ଷେ ୨୦ ହଜାର ଟଙ୍କା ଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।