ଭୁବନେଶ୍ୱର,୨୬ା୮(ବ୍ୟୁରୋ): ରାଜ୍ୟ ସରକାର ୧୯୮୭ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ସୁଶୀଲ କୁମାର ପୋପଲିଙ୍କୁ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ(ପିସିିସିଏଫ୍)(ବନ୍ୟଜନ୍ତୁ) ଏବଂ ସିଡବ୍ଲ୍ୟୁଏଲ୍ଡବ୍ଲ୍ୟୁ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେ ଆସନ୍ତା ସେପ୍ଟେମ୍ବର ପହିଲାରୁ ଦାୟିତ୍ୱ ଗ୍ରହଣ କରିବେ। ପୋପଲି ଏବେ ପିସିସିଏଫ୍ (କେନ୍ଦୁପତ୍ର) ଦାୟିତ୍ୱରେ ଅଛନ୍ତି। ପିସିସିଏଫ୍(ବନ୍ୟଜନ୍ତୁ) ଥିବା ୧୯୮୮ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ଶଶୀ ପଲ୍ ଅଗଷ୍ଟ ୩୧ ତାରିଖରେ ଚାକିରିରୁ ଅବସର ନେବେ। ପୋପଲି ପିସିସିଏଫ୍(ବନ୍ୟଜନ୍ତୁ) ଦାୟିତ୍ୱ ତୁଲାଇବେ। ସେହିପରି ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍ପିଆର୍ସି) ମୁଖ୍ୟ କାର୍ଯ୍ୟନିର୍ବାହୀ ୧୯୮୮ ବ୍ୟାଚ୍ ଆଇଏଫ୍ଏସ୍ ଅଫିସର ପୁଷା ଝୁଲେ ମେକ୍ରୋଙ୍କୁ ପିସିସିଏଫ୍ (କେନ୍ଦୁପତ୍ର) ଭାବେ ବଦଳି କରାଯାଇଛି। ଏଥିସହିତ ସେ ଆର୍ପିଆର୍ସି ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।