ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ: ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କ ସହଧର୍ମିଣୀ ତଥା ରାଜ୍ୟର ‘ପ୍ରଥମ ମହିଳା’ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ବିଧାନସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଶୋକ ପ୍ରସ୍ତାବ ଆଗତ ହୋଇଛି। ଏହାକୁ ବିରୋଧୀ ଦଳର ନେତା ଏବଂ ଅନ୍ୟ ନେତା ମାନେ ସମର୍ଥନ କରିଥିଲେ। ପରେ ଗୃହରେ ଏକ ମିନିଟ୍‌ ନୀରବ ପାର୍ଥନା କରାଯାଇଥିଲା। ସୁଶୀଳା ଦେବୀ ଗତ ନଭେମ୍ବର ୧ରୁ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତଦେହ ସୋମବାର ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ଅଣାଯାଇଛି। ଏବେ ସେଠାରେ ଶେଷଦର୍ଶନ ପାଇଁ ରଖାଯାଇଛି। ଏହାପରେ ସେଠାରୁ ପୁରୀ ନିଆଯାଇ ତାଙ୍କୁ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି। କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ। ତାଙ୍କ ମୃତ୍ୟୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସୁଶୀଳା ଦେବୀ ୧୯୪୬ ଡିସେମ୍ବର ୬ରେ ହରିୟାଣାର ହିସାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୪ ଜୁଲାଇ ୧ ତାରିଖରେ ପ୍ରଫେସର୍‌ ଗଣେଶୀ ଲାଲଙ୍କୁ ବିବାହ କରିଥିଲେ। ତାଙ୍କର ଚାରି ଝିଅ ଓ ତିନିଜଣ ପୁଅ ଅଛନ୍ତି।

Share