Categories: ଜାତୀୟ

ସୁଶୀଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ, ୧୮ା୫ – ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍‌ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି ସ୍ଥାନୀୟ କୋର୍ଟ। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ ବିରୋଧରେ ହତ୍ୟା, ଅପହରଣ ଓ ଆପରାଧିକ ଷଡ଼ଯନ୍ତ୍ର ମାମଲା ଦରଜ ହୋଇଥିବାରୁ ଅତିରିକ୍ତ ସେସନ ଜଜ୍‌ ଜଗଦୀଶ କୁମାର ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ସୁଶୀଲ ଏକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ। ଅନ୍ୟ କେତେଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି। ତେଣୁ ତାଙ୍କୁ ଜାମିନ ମିଳିପାରିବ ନାହିଁ ବୋଲି ବିଚାରପତି ଦର୍ଶାଇଥିଲେ। ତେବେ ଗିରଫ ହେବା ଭୟରେ ଏହି କିମ୍ବଦନ୍ତୀ ରେସଲର ଗତ ୧୭ରେ ଦିଲ୍ଲୀସ୍ଥିତ ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ନିଜକୁ ନିର୍ଦ୍ଦୋଷ ଦର୍ଶାଇବା ସହ ତଦନ୍ତ କାର୍ଯ୍ୟରେ ସହାୟତା କରିବା ଲାଗି ସେ ପ୍ରସ୍ତୁତ ଥିବା ଏଥିରେ ଉଲ୍ଲେଖ କରିଥିଲେ।

ଜାତୀୟ ରାଜଧାନୀରେ ଅବସ୍ଥିତ ଛତ୍ରସାଲଷ୍ଟାଡିୟମ ପରିସରରେ ମେ’ ୪ରେ ସୁଶୀଲଙ୍କ ସମେତ ସିନିୟର ରେସଲରଙ୍କ ଆକ୍ରମଣରେ ଯୁବ ରେସଲର ସାଗର ରାଣାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଦୁଇ ସାଥୀ ସୋନୁ ଓ ଅମିତ କୁମାର ଆହତ ହୋଇଥିଲେ।

Share