ପ୍ରଶ୍ନ ବୁଝି ନ ପାରି ସଠିକ୍‌ ଉତ୍ତର ଦେଇଥିଲେ ସୁସ୍ମିତା, ଜିତିଥିଲେ ମିସ୍‌ ୟୁନିଭର୍ସ ଟାଇଟଲ

ମୁମ୍ବାଇ: ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ସୁସ୍ମିତା ସେନ୍‌ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା। ପରେ ଯୁକ୍ତା ମୁଖୀ, ଲାରା ଦତ୍ତା ଏବଂ ନିକଟରେ ହର୍ନାଜ ସାନ୍ଧୁ ଏହି ଟାଇଟଲ ଜିତି ସମଗ୍ର ଦେଶର ନାଁ ରଖିଛନ୍ତି। ଏହି ଟାଇଟଲ ହାସଲ କରିବା ପରେ ସୁସ୍ମିତା ବଲିଉଡ୍‌ରେ ପାଦ ଦେଇ ଜଣେ ସଫଳ ଅଭିନେତ୍ରୀ ହୋଇଥିଲେ। ଦୀର୍ଘବର୍ଷ ପରେ ସୁସ୍ମିତା ଏକ ଆଶ୍ଚର୍ଯ୍ୟଜନକ କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ହିନ୍ଦୀ ମିଡିୟମରେ ପାଠ ପଢ଼ିଥିବାରୁ ସୁସ୍ମିତା ଏକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏକ ସାକ୍ଷାତକାରରେ ସେ କହିଛନ୍ତି, ଯେତେବେଳେ ତାଙ୍କୁ ମିସ୍‌ ୟୁନିଭର୍ସ ଫାଇନାଲ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ସେ ପ୍ରଶ୍ନ ବୁଝିପାରି ନ ଥିଲେ। ଅନ୍ତର୍ଜାତୀୟ ମହିଳା ଦିବସରେ ସୁସ୍ମିତାଙ୍କ ଝିଅ ଆଲିଶାଙ୍କ ସ୍କୁଲ ପତ୍ରିକା ସହ ସୁସ୍ମିତାଙ୍କ ଏକ ସାକ୍ଷାତକାର ହୋଇଥିଲା। ଏଥିରେ ପଚରାଯାଇଥିଲା, ‘ସେ ଏତେ ବର୍ଷ ପରେ ସେହି ପ୍ରଶ୍ନର ଉତ୍ତରକୁ ପରିବର୍ତ୍ତନ କରିବାକୁ ଚାହାଁନ୍ତି କି?’ ଏହା ଉପରେ ସୁସ୍ମିତା କହିଥିଲେ, ‘ଯେତେବେଳେ ମୁଁ ପଛକୁ ଚାହିଁବି, ମୁଁ ଜାଣେ ଯେ ପ୍ରଶ୍ନ ଏବଂ ଉତ୍ତର ମୋତେ ଭଲ ଲାଗେ। ଯାହା ମୋତେ ଜଣେ ମହିଳା ପଚାରିଥିଲେ। ଜଣେ ନାରୀର ଗୁଣ ବିଷୟରେ ନୁହେଁ ବରଂ ଜଣେ ମହିଳାଙ୍କ ମହତ୍ତ୍ୱ ବିଷୟରେ ପଚାରିଥିଲେ। ଯେହେତୁ ମୁଁ ହିନ୍ଦୀ ମାଧ୍ୟମ ବିଦ୍ୟାଳୟରେ ପଢ଼ିଥିଲ, ତେଣୁ ସେତେବେଳେ ଅଧିକ ଇଂରାଜୀ ଜାଣି ନ ଥିଲି। ମୂଳର ପ୍ରଶ୍ନର ଅର୍ଥ କ’ଣ ଜାଣି ନ ଥିଲି କିନ୍ତୁ ସଠିକ୍‌ ଉତ୍ତର ଦେଇଥିଲି। ସେତେବେଳେ ମୋର ବୟସ ୧୮ ଥିଲା। ମୁଁ ଭାବୁଛି ଭଗବାନ ମୋ’ କଣ୍ଠରେ ବିରାଜମାନ କରିଥିଲେ। ଯେଉଁଥିପାଇଁ ମୁଁ ସଠିକ୍‌ ଉତ୍ତର ଦେଇ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିଲି।

ମୁଁ ସେତେବେଳେ କହିଥିଲି, ଜଣେ ନାରୀ ଭାବରେ ଜନ୍ମ ହେବା ଈଶ୍ୱରଙ୍କଠାରୁ ମୂଲ୍ୟବାନ ଉପହାର ଅଟେ। ଆଜି ବି ମୁଁ ଏଠି ଏଥିପାଇଁ ଠିଆ ହୋଇଛି। ଜଣେ ମହିଳା କେବଳ ମା’ ନୁହନ୍ତି, ବରଂ ପ୍ରେମ ଏବଂ ଯତ୍ନର ଏକ ପ୍ରଦର୍ଶନ। ମୋ’ ଉତ୍ତର ଶୁଣି ସମସ୍ତେ ପ୍ରଶଂସା କରିଥିଲେ।

Share