ପ୍ରେମ ଜ୍ଞାନ ବାଣ୍ଟିଲେ ସୁସ୍ମିତାଙ୍କ ଏକ୍ସ-ବୟଫ୍ରେଣ୍ଡ୍‌

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତାଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି କହୁଛନ୍ତି ସୁସ୍ମିତା ଟଙ୍କା ଲୋଭରେ ଲଳିତଙ୍କ ପ୍ରେମରେ ପଡିଛନ୍ତି। କିନ୍ତୁ ସୁସ୍ମିତାଙ୍କ ସପକ୍ଷରେ ବାହାରିଛନ୍ତି ପୂର୍ବତନ ପ୍ରେମିକ ରୋହମାନ ଶଲ। ସୁସ୍ମିତାଙ୍କୁ ତାଙ୍କ ଖୁସିରେ ଛାଡିଦେବା ଉଚିତ ବୋଲି ସେ କହିଛନ୍ତି।
ରୋହମାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ କହୁଛନ୍ତି, ସମସ୍ତେ ପ୍ରେମରେ ଏତେ ଦୁଃଖିତ କାହିଁକି? ତୁମେ ତୁମର ସାଥୀଙ୍କଠାରୁ ବହୁତ କିଛି ଆଶା କରୁଛ … କାହିଁକି? ଆପଣଙ୍କ ସାଥୀଙ୍କର ମଧ୍ୟ ନିଜର ଏକ ଜୀବନ ଅଛି। ନିଜ ସାଥୀଙ୍କ ଉପରେ ଏତେ ନିର୍ଭର କର ନାହିଁ । ନିଜକୁ ଖୁସି କରିବାକୁ ଶିଖ। ପ୍ରଥମେ ନିଜକୁ ସମ୍ପୂର୍ଣ୍ଣ କର, ତା’ପରେ ସାଥୀ ଖୋଜ।
ରୋହମାନଙ୍କ ଏହି ଉପଦେଶକୁ ଅନେକ ଲୋକ ପ୍ରଶଂସା କରୁଛନ୍ତି ଏବଂ ତାଙ୍କୁ ବୁଦ୍ଧିମାନ ବୋଲି କହିଛନ୍ତି।
ସୁସ୍ମିତା ଏବଂ ରୋହମାନ ବହୁ ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ଏପରିକି ଉଭୟ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିଥିଲେ। ଯଦିଓ ରୋହମାନ ସୁସ୍ମିତାଙ୍କଠାରୁ ବୟସରେ ସାନ ଥିଲେ, ଉଭୟଙ୍କ ବନ୍ଧନ ଭଲ ଥିଲା। କିନ୍ତୁ ପରେ ଉଭୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖି ପରସ୍ପରଠାରୁ ଦୂରେଇ ଯାଇଥିଲେ।

Share