ଗାଈ ଚରାଳୀଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ

ଧରାକୋଟ,୬ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡଗଡ ଥାନା ଅଧୀନ ମଥୁରା ଗ୍ରାମର ସନିଦେବ ମନ୍ଦିର ନିକଟସ୍ଥ ହରଭଙ୍ଗି କେନାଲରୁ ସୋମବାର ଜଣେ ଗାଈ ଚରାଳୀଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ମଛାକୋଟ ପଞ୍ଚାୟତ ଅଧିନ କରାତଳି ଗ୍ରାମର ଲକ୍ଷ୍ମଣ ଗୌଡ଼ଙ୍କ ପୁଅ ରବୀନ୍ଦ୍ର (୩୫)। ରବୀନ୍ଦ୍ରଙ୍କ ମୁଣ୍ଡ, କପାଳ ଏବଂ ବେକରେ କଟା ଚିହ୍ନ ରହିଛି। ଅନ୍ୟପକ୍ଷେ ରବୀନ୍ଦ୍ରଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି।

ସ୍ତ୍ରୀ ରିନାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସ୍ବାମୀ ରବୀନ୍ଦ୍ର ଗାଈ ଏବଂ ଛେଳିଙ୍କୁ ଧରି ଗମ୍ଭାରୀ ଗୁଡା ନିକଟସ୍ଥ କଇଁଫୁଲିଆ ପାହାଡକୁ ଚରାଇବା ପାଇଁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ଘର ଲୋକ ବ୍ୟସ୍ତ ହୋଇ ଭାଇ ଦେବେନ୍ଦ୍ର ଓ ପୁଅକୁ ଖୋଜିବା ପାଇଁ ପଠାଇଥିଲେ। ହେଲେ ପାହଡ଼ ପାଖ କେନାଲ ହିଡରେ ରବୀନ୍ଦ୍ରଙ୍କ ଚପଲ, ଚଦର ଏବଂ ବାଡି ପଡିଥିବା ବେଳେ ତାଙ୍କର ଖୋଜ ଖବର ମିଳି ନ ଥିଲା। ପରେ ଗାଁ ଲୋକେ ମିଳିତ ଭାବରେ ଖୋଜା ଖୋଜି କରି ନ ପାଇବାରୁ ବଡଗଡ ଥାନାରେ ଜଣାଇଥିଲେ। ପରେ ସନ୍ଦେହ କରି ହରଭଙ୍ଗୀ କାର୍ଯ୍ୟାଳୟର ପଦାଧିକାରୀଙ୍କୁ ଖବର ଦେଇ କେନାଲ ପାଣି ବନ୍ଦ କରାଯାଇଥିଲା। ଶନିଦେବ ମନ୍ଦିର ନିକଟସ୍ଥ କେନାଲ ଗେଟରେ ଏକ ମୃତଦେହ ଲାଗିଥିବା ଦେଖିବାକୁ ମିଳିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ଏ ନେଇ ପୋଲିସ ଏକ ମାମଲା (ନଂ.୨୮/୨୩) ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

 

Share