କୁଜଙ୍ଗ,୨୯ା୪(ଡି.ଏନ୍.ଏ): ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିବା ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକଙ୍କ ପାଇଁ ମହାଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅଭିଯୋଗରେ ଉଭୟ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦ ଓ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ପ୍ରାଥମିକ ଶିକ୍ଷକ ଶତ୍ରୁଘନ ପ୍ରଧାନ। ଚାକିରିରୁ ଅବସର ନେବାର ଦିନକ ପୂର୍ବରୁ ନନ୍ଦଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣା ଜଗତ୍ସିଂହପୁର ଜିଲା କୁଜଙ୍ଗସ୍ଥିତ ବିବି ହାଇସ୍କୁଲରେ ଘଟିଛି। ଗତ ୨୭ ତାରିଖରେ ବିଦ୍ୟାଳୟ ଛୁଟିଥିବାବେଳେ ଉଭୟ ଶିକ୍ଷକ ବିଦ୍ୟାଳୟରେ ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ଅନ୍ୟତ୍ର ପଠାଉଥିଲେ। ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ ଏହା ଦେଖି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ନନ୍ଦ ଓ ପ୍ରଧାନଙ୍କୁ ଥାନାକୁ ନେଇ ପଚରାଉଚରା କରି ଗିରଫ କରିବା ପରେ ଜାମିନରେ ଛାଡ଼ିଥିଲା। ଶନିବାର ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ଉଭୟ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ୩୦ ତାରିଖ ରବିବାର ନନ୍ଦ ଚାକିରୀରୁ ଅବସର ନେଇଥାନ୍ତେ। ଏହାର ଦିନକ ପୂର୍ବରୁ ନିଲମ୍ବନ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।