ନିଲମ୍ବିତ କନଷ୍ଟେବଳ, ଜେଲ ଓ୍ବାର୍ଡର ଗିରଫ

କଟକ ଅଫିସ/ସମ୍ବଲପୁର (ବ୍ୟୁରୋ) ୨୧।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ହେବା ଘଟଣାରେ ମଙ୍ଗଳବାର ପୋଲିସ ୨ ଜଣଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିବା କନଷ୍ଟେବଳ ମହମ୍ମଦ ମୌସିମ ଓ ସମ୍ବଲପୁର ଜେଲର ଓ୍ବାର୍ଡର ଶିବନାରାୟଣ ନନ୍ଦ। ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ୍‌ ସିଂ କହିଛନ୍ତି, ଶିବନାରାୟଣଙ୍କ ଫୋନରୁ ହାଇଦର ବିଭିନ୍ନ ବ୍ୟକ୍ତିଙ୍କ ସହ କଥା ହେଉଥିବା ତଦନ୍ତ ସମୟରେ ଜଣାପଡିଛି। ଏଥିସହିତ ମୌସିମ ନିଜ ଡ୍ୟୁଟିରେ ଅବହେଳା କରିଥିଲେ। ହାଇଦରଙ୍କୁ ଢିଲାରେ ଛାଡି ଦେଇଥିବାରୁ ସେ ଏହାର ସୁଯୋଗନେଇ ଫେରାର ହୋଇଯାଇଥିଲେ। ଏ ନେଇ ଥାନାରେ ଏକ ମାମଲା(ନଂ.୧୦୧/୨୧) ରୁଜୁ ହୋଇଥିଲା। ସେହିପରି ମୌସିମ୍‌ଙ୍କୁ ନିଶା ସ୍ପ୍ରେ କରାଯିବା ସମ୍ପର୍କରେ ଡିସିପି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ହାଇଦର ଫେରାର ହେବା ଦିନ ଏସ୍‌ସିବି ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନରୁ ମିଳିଥିବା ଖାଦ୍ୟ ସାମ୍ପୁଲ ପରୀକ୍ଷା ପାଇଁ ଲାବକୁ ପଠାଯାଇଛି। ରିପୋର୍ଟ ଆସିଲେ ତାହା ସ୍ପଷ୍ଟ ହେବ। ହାଇଦର ଫେରାର ହେବା ସମ୍ପର୍କରେ ମୌସୀମ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏଥିରେ ଦର୍ଶାଇଯାଇଛି, ଗତ ୧୦ ତାରିଖ ଅପରାହ୍ନରେ ମୌସିମ ଏସ୍‌ସିବି ସର୍ଜରି ବିଭାଗ ୫ନଂ. କ୍ୟାବିନରେ ଡ୍ୟୁଟି କରୁଥିବାବେଳେ ତାଙ୍କ ଉପରକୁ ନିଶାଦ୍ରବ୍ୟ ଫିଙ୍ଗାଯାଇଥିଲା। ସେ ଅଚେତ ହୋଇଯିବା ପରେ ଏହାର ସୁଯୋଗ ନେଇ ହାଇଦର ଫେରାର ହୋଇଯାଇଥିଲେ। ପରେ ହାଇଦରଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ମୌସୀମଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ସମ୍ବଲପୁର ଏସ୍‌ପି ନିଲମ୍ବନ କରିଥିଲେ। ଉକ୍ତ ଘଟଣାରେ ହାଇଦରଙ୍କୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ମଙ୍ଗଳାବାଗ ପୋଲିସ ମଙ୍ଗଳବାର ସମ୍ବଲପୁର ଜେଲ୍‌ରେ ପହଞ୍ଚି ଖୋଳତାଡ କରିଥିଲା। ସେଠାରେ ହାଇଦର କିଭଳି ରହୁଥିଲେ, କେଉଁ ତାରିଖରେ ଡାକ୍ତରଙ୍କ ପାଖକୁ ଯାଉଥିଲେ ଓ କେଉଁମାନେ ତାଙ୍କୁ ଭେଟିବାକୁ ଆସୁଥିଲେ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ଜେଲର ଆଲୋକ କର କହିଛନ୍ତି।

Share