Categories: ଖେଳ

ବାସନ୍ଦ ଉଠାଇବା ଲାଗି କହିଲା ଭାରତ କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୭ା୧: ନୂଆ କର୍ମକର୍ତ୍ତା ନିର୍ବାଚନ ହେବାର ୩ ଦିନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସସ୍‌ପେଣ୍ଡ ହୋଇଥିବା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ମୁଖ୍ୟ ସଞ୍ଜୟ ସିଂ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ସନନ୍ଦ ଅନୁସାରେ ନବନିର୍ବାଚିତ ଡବ୍ଲ୍ୟୁଏଫ୍‌ଆଇ ଉପରେ ଭାରତୀୟ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର କୌଣସି କର୍ତ୍ତୃତ୍ୱ ରହିବା ଉଚିତ ନୁହେଁ। ଅନ୍ୟପକ୍ଷରେ ଗତବର୍ଷ ଅଗଷ୍ଟ ମାସରୁ ଲାଗୁ ହୋଇଥିବା ସସ୍‌ପେଣ୍ଡ ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିନେବା ଲାଗି ସେ ନିବେଦନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆଇଓଏ ଦ୍ୱାରା ଗଠିତ ଆଡହକ୍‌ ପ୍ୟାନେଲ ଭାରତ କୁସ୍ତି ମହାସଂଘର ଦୈନନ୍ଦିନ ବ୍ୟାପାର ବୁଝାଶୁଝା କରୁଛି। କୁସ୍ତି ଉପରେ ଆଇଓଏ ପ୍ରଭାବ ବିସ୍ତାରକୁ ବେଆଇନ ବୋଲି ମନେ କରାଯିବା ଉଚିତ ବୋଲି ସଞ୍ଜୟ ୟୁଡବ୍ଲ୍ୟୁଡବ୍ଲ୍ୟୁ ନିକଟକୁ ଲେଖିଥିବା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଡିସେମ୍ବର ୨୧ରେ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଥିବା ସଞ୍ଜୟ ୟୁଡବ୍ଲ୍ୟୁଡବ୍ଲ୍ୟୁର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ତାଙ୍କର ଏକ ନିର୍ଦ୍ଦେଶନାମାରେ ଜାତୀୟ କ୍ରୀଡ଼ା ମହାସଂଘ ବ୍ୟାପାରରେ ଆଇଓଏର ହସ୍ତକ୍ଷେପକୁ ବେଆଇନ ବୋଲି ଦର୍ଶାଇଥିଲେ। ଡବ୍ଲ୍ୟୁଏଫ୍‌ଆଇର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ସଞ୍ଜୟ କହିଛନ୍ତି, ଭାରତୀୟ କୋର୍ଟ, ୟୁଡବ୍ଲ୍ୟୁଡବ୍ଲ୍ୟୁ ନିୟମାବଳୀ ଏବଂ ଅଲିମ୍ପିକ ସନନ୍ଦ ଅନୁସାରେ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକ ହେଉଛନ୍ତି ସ୍ବୟଂଶାସିତ ସଂସ୍ଥା। ଆଇଓଏ କିପରି ନିୟମ ଉଲ୍ଲଂଘନ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନରେ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ କରାଯାଇଥିଲା। ଆଇଓଏ ଏ ବିଷୟରେ ସମ୍ପୂର୍ଣ୍ଣ ଅବଗତ। ସମସ୍ତ ସଫଳ ପ୍ରାର୍ଥୀଙ୍କୁ ରିଟର୍ନିଂ ଅଫିସର ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଛନ୍ତି।

Share