Categories: ଜାତୀୟ

ଛିଣ୍ଡୁନି ଭାଗବଣ୍ଟା, ୨୦୮ ଆସନ ନେଇ ସସ୍‌ପେନ୍ସ୍‌ ଜାରି…

ଲକ୍ଷ୍ନୌ, ୨୪।୧ : ଉତ୍ତରପ୍ରଦେଶ ପାଇଁ ଭାଜପା ଏବଂ ସହଯୋଗୀଙ୍କ ମଧ୍ୟରେ ଆସନ ଭାଗବଣ୍ଟା ଛିଣ୍ଡୁନି। ବୈଠକ ପରେ ବୈଠକ ଶେଷ ହେଲେ ବି ରାଜ୍ୟର ୨୦୮ ବିଧାନସଭା ଆସନ ନେଇ ସସ୍‌ପେନ୍ସ୍‌ ଜାରି ରହିଛି। ଏଥିପାଇଁ ନିର୍ବାଚନ ପାଖେଇ ଆସୁଥିଲେ ମଧ୍ୟ ଭାଜପା ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

ଆସନ ବୁଝାମଣାର ବିଭିନ୍ନ ଫର୍ମୂଲା ଉପରେ ବିଚାର କରାଯାଉଥିଲେ ବି କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ। ରବିବାର ପୁଣିଥରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲେ ବି ଫଳାଫଳ ବାହାରି ନ ଥିଲା। ସୋମବାର ପୁଣି ବୈଠକ ଅନୁଷ୍ଠିତ ହେବ।

ଭାଜପା ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ତିନୋଟି ତାଲିକା ପ୍ରକାଶ କରିବାରେ ସକ୍ଷମ ହୋଇଛି। ପ୍ରଥମ ତାଲିକାରେ ୧୦୭ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା। ଦ୍ୱିତୀୟ ତାଲିକାରେ କେବଳ ଦୁଇଟି ନାମ ଥିଲା। ତୃତୀୟ ତାଲିକାରେ ୮୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ଅର୍ଥାତ୍‌ ରାଜ୍ୟର ୪୦୩ ବିଧାନସଭା ଆସନ ମଧ୍ୟରୁ ଭାଜପା କେବଳ ୧୯୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ସକ୍ଷମ ହୋଇଛି।

ସହଯୋଗୀମାନଙ୍କ ସହ ଆସନ ବାଣ୍ଟିବା ଫର୍ମୂଲା ବିଫଳ ରହିଛି। ଭାଜପା ପକ୍ଷରୁ ନିଷାଦ ପାର୍ଟି ଏବଂ ଅପନା ଦଳ ସହ ମିଶି ଲଢ଼ିବାକୁ ଏକ ଘୋଷଣା କରାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସମସ୍ତ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ପାରିନାହିଁ। ନିଷାଦ ପାର୍ଟି ଅପେକ୍ଷା କରିଥିବାବେଳେ ଆପନା ଦଲ ଏପର୍ଯ୍ୟନ୍ତ କେବଳ ଗୋଟିଏ ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଛିି।

ଭାଜପା ସହ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆପନା ଦଳ ପ୍ରଥମ ଟିକେଟ ଭାବରେ ମୁସଲମାନ ପ୍ରାର୍ଥୀ ଘୋଷଣା କରିଛି। ରାମପୁରର ସୱରା ଟାଣ୍ଡା ଆସନରୁ ସମାଜବାଦୀ ପାର୍ଟିର ଆଜମ ଖାଁଙ୍କ ବିରୋଧରେ ହାୟଦାର ଅଲୀ ଖାଁଙ୍କ ନାମ ଘୋଷଣା କରାଯାଇଛି। ୨୫ ଜାନୁଆରୀରେ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ବେହାର କାର୍ଯ୍ୟକ୍ରମ ରହିଛି। ଆଶା କରାଯାଉଛି ଆସନ ସମ୍ବନ୍ଧରେ ଭାଜପା ଏହି ଦିନ ନିଜର ସମସ୍ତ କାର୍ଡ ଖୋଲିବ।

Share