ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା କିଏ ସେ ନେଇ ଜାରି ରହିଥିବା ସସ୍‌ପେନ୍ସ ଏବେ ଶେଷ ହୋଇଛି। ଜନ୍ମ ପ୍ରମାଣ ପତ୍ରରେ ଶିଶୁପୁତ୍ରଙ୍କର ନାମ ଇଶାନ୍‌ ଜେ. ଦାସଗୁପ୍ତା ରଖିଛନ୍ତି। ସେହିପରି ପିତାଙ୍କ ନାମ ଦେବାଶିଷ ଦାସଗୁପ୍ତା ରହିଛି। ଫଳରେ ଶିଶୁଙ୍କର ପିତା କିଏ ସେ ନେଇ ଦୀର୍ଘ ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି।

ନୁସରତ ସ୍ବାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ସେହିପରି ବୟ ଫ୍ରେଣ୍ଡ ୟଶ୍‌ ଦାସଗୁପ୍ତାଙ୍କ ସହିତ ନୁସରତ୍‌ଙ୍କୁ ବହୁ ସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା ଯେ, ନିଖିଲ ଅବା ୟଶ୍‌ଙ୍କ ମଧ୍ୟରୁ କିଏ ତାଙ୍କ ଶିଶୁପୁତ୍ରର ପିତା। ମାତ୍ର ଜନ୍ମ ପ୍ରମାଣ ପତ୍ରରେ ନୂଆ ନାମ ଦେଖିବାକୁ ମିଳିଛି।

କେହି କେହି ଏହାକୁ ନେଇ ଚକିତ ହୋଇଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ ବୟଫ୍ରେଣ୍ଡ ୟଶ୍‌ଙ୍କ ପ୍ରକୃତ ନାମ ହିଁ ଦେବାଶିଷ ଦାସଗୁପ୍ତା। ୟଶ୍‌ଙ୍କୁ ନୁସରତ ଗର୍ଭବତୀ ହେବାପରଠାରୁ ଡେଲିଭରୀ ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଛି।

ସେହିପରି ନବଜାତ ଶିଶୁପୁତ୍ରଙ୍କୁ ଧରି ନୁସରତ ଘରକୁ ଫେରିବା ସମୟରେ ୟଶ୍‌ କାର୍‌ ଚଳାଉଥିବାର ଦେଖିବାକୁ ମିଳିଥିଲା। ଶେଷରେ ଏବେ ୟଶ୍‌ ଇଶାନଙ୍କ ପିତା ପାଲଟିଛନ୍ତି। ତେବେ କୋଲକାତା ମ୍ୟୁନିସପାଲ କର୍ପୋରେଶନ ପକ୍ଷରୁ ଜାରି ହୋଇଥିବା ଜନ୍ମ ପ୍ରମାଣ ପତ୍ର ଦେଖି ବହୁ ଲୋକଙ୍କୁ ପ୍ରଥମେ ଝଟ୍‌କା ଲାଗିଛି।

Share