Categories: ଜାତୀୟ

୪ କଂଗ୍ରେସ ଏମ୍‌ପିଙ୍କ ଉପରୁ ପ୍ରତ୍ୟାହାର ହେଲା ନିଲମ୍ବନ

ନୂଆଦିଲ୍ଲୀ,୧।୮: ଲୋକ ସଭାରୁ ନିଲମ୍ବିତ ହୋଇଥିବା ୪ କଂଗ୍ରେସ ସଦସ୍ୟଙ୍କ ଉପରୁ ବାଚସ୍ପତି ଓମ୍‌ ବିର୍ଲା ସୋମବାର ନିଲମ୍ବନ ପ୍ରତ୍ୟାହାର କରିନେଇଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ନ କରିବା ଏବଂ ପ୍ଲାକାର୍ଡ ନ ଆଣିବା ପାଇଁ ସେମାନଙ୍କୁ ଚେତାବନୀ ଦିଆଯାଇଛି। ଗୃହରେ ପ୍ଲାକାର୍ଡ ଦେଖାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି। ସୂଚନାଯୋଗ୍ୟ, ଗୃହରେ ପ୍ରତିବାଦ କରିବା ସହ ସ୍ଲୋଗାନ ଏବଂ ପ୍ଲାକାର୍ଡ ଓ ପୋଷ୍ଟର ଦେଖାଇଥିବା କଂଗ୍ରେସ ଏମ୍‌ପି ମାଣିକମ ଟାଗୋର, ରମ୍ୟା ହରିଦାସ, ଜୋଥିମାନି ଏବଂ ଟି.ଏନ୍‌. ପ୍ରଥାପନଙ୍କୁ ଜୁଲାଇ ୨୫ରୁ ମୌସୁମୀ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିଲା। ସୋମବାର ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବାଚସ୍ପତିଙ୍କ ଅନୁରୋଧକ୍ରମେ ୪ ଏମ୍‌ପିଙ୍କ ଉପରୁ ନିଲମ୍ବନ ଉଠାଇବା ପାଇଁ ସରକାର ପ୍ରସ୍ତାବ ଆଣିଥିଲେ। ଗୃହରେ ସେମାନଙ୍କ ଆଚରଣ ସମସ୍ତଙ୍କୁ ଆଘାତ ଦେଇଛି। ଗୃହର ମର୍ଯ୍ୟାଦା ଓ ଶିଷ୍ଟତା ରକ୍ଷା କରିବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ବାଚସ୍ପତି ବିର୍ଲା କହିଛନ୍ତି।

 

Share