ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କ ନେତୃତ୍ୱରେ ସୋମବାର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦିଗପହଣ୍ଡି- ଚିକିଟି ମୁଖ୍ୟରାସ୍ତାର କଲ୍ୟାଣପୁର ନିକଟରୁ ୪ଟି ଧାନବୋଝେଇ ଗାଡ଼ି ଜବତ କରି ଦିଗପହଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ। ଆନ୍ଧ୍ରକୁ ଧାନ ଚାଲାଣ ହେଉଥିବା ସନ୍ଦେହରେ ପିକ୍ଅପ ଭ୍ୟାନ ନଂ. ଓଡ଼ି ୦୭ -୬୫୬୩, ଓଡ଼ି ୩୩ ପି – ୬୧୪୮, ଓଡ଼ି ୧୩ ଜି – ୩୮୩୯ ଏବଂ ଟାଟା ଏସି ଡାଲାଗାଡ଼ି ନଂ. ଓଡ଼ି ୦୭ ପି – ୧୯୭୦କୁ ଅଟକ ରଖି ଥାନାକୁ ନେଇଥିଲେ। ପରେ ଚାଲାଣ ସମ୍ପର୍କିତ ନଥିପତ୍ର ଯାଞ୍ଚପରେ ସେଗୁଡିକ ପଞ୍ଜିକୃତ ଚାଷୀଙ୍କ ପୁରୁଣା ଧାନ ଏବଂ ଷ୍ଟିମ ଦେବା ଉଦ୍ଦେଶ୍ୟରେ ମିଲକୁ ଚାଲାଣ ହେଉଥିବା ଜଣାପଡିବାରୁ ଚାଷୀଙ୍କ ଠାରୁ ସ୍ବିକାରୋକ୍ତି ସଂଗ୍ରହ ପରେ ଛାଡ଼ି ଦିଆଯାଇଥିବା ତହସିଲଦାର କହିଛନ୍ତି। ଅପରପକ୍ଷରେ ଦିଗପହଣ୍ଡି ଅଞ୍ଚଳରେ ଚାଷୀ ଅଭାବୀ ଧାନବିକ୍ରିର ଶିକାର ହେଉଛି। ଧାନ ଅମଳ ସରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ ଧାନ ମଣ୍ଡି ଖୋଲିନାହିଁ। ଚାଷୀଙ୍କ ଉତ୍ପାଦିତ ଧାନକୁ ସାଇତି ରଖିବାରେ ସମସ୍ୟା, ଚଳିତ ବର୍ଷ ଏଫଏକ୍ୟୁ ମାନକୁ କଡ଼ାକଡ଼ି କରାଯିବା ସମେତ ବିଭିନ୍ନ କାରଣକୁ ନେଇ ଚାଷୀ ଖଳାମୂଳେ ବ୍ୟବସାୟୀଙ୍କୁ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାରଙ୍କୁ ପଚାରିବାରୁ ଆସନ୍ତା ୨୩ ତାରିଖରୁ ଦିଗପହଣ୍ଡି ବ୍ଲକ ଏବଂ ଏନ୍ଏସି ଇଲାକାରେ ୨୧ଟି ଧାନମଣ୍ଡି ଖୋଲାଯିବା ସହ କୋଟିନଡ଼ା ଏବଂ ଚୌଧୁରୀ ଟିକରପଡ଼ା ପଞ୍ଚାୟତରେ ପଞ୍ଜିକୃତ ୨ ମହିଳା ସୟଂ ସହାୟିକା ଗୋଷ୍ଠୀ ଚାଷୀଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଦରରେ ସିଧାସଳଖ ଧାନ କ୍ରୟ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି।