Categories: ଜାତୀୟ

ସୀମା ହେଦର ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିଲା

ଲକ୍ଷ୍ନୌ,୧୮।୭: ଉତ୍ତରପ୍ରଦେଶ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାାଡ (ୟୁପି ଏଟିଏସ) ନେପାଳ ଦେଇ ବେଆଇନ ଭାବେ ଭାରତ ଆସିଥିବା ଜଣେ ପାକିସ୍ତାନୀ ମହିଳା ସୀମା ହେଦରଙ୍କ ଦୀର୍ଘ ସମୟ ପଚରାଉଚରା କରିଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ‘ନିର୍ଦ୍ଦିଷ୍ଟ’ ସୂଚନାକୁ ଆଧାର କରି ତାଙ୍କୁ ପଚରାଉଚରା କରିଛି। ସୀମାଙ୍କ ବ୍ୟତୀତ ୟୁପି ଏଟିଏସ ତାଙ୍କ ସ୍ବାମୀ ସଚିନ ଏବଂ ଶ୍ୱଶୁର ନେତ୍ରପାଲଙ୍କୁ ନିଜ କାର୍ଯ୍ୟାଳୟକୁ ନେଇ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁପ୍ତଚର ଏଜେନ୍ସି ସୂଚନା ଅନୁସାରେ ସୀମାଙ୍କ ଦାଦା ପାକିସ୍ତାନୀ ସେନାରେ ସୁବେଦାର ଏବଂ ତାଙ୍କ ଭାଇ ମଧ୍ୟ ପାକିସ୍ତାନୀ ସେନାରେ କାମ କରୁଛନ୍ତି। ଏହି କାରଣରୁ ସୀମା ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ ବଢିବାରେ ଲାଗିଛି। ସୁରକ୍ଷା ଏଜେନ୍ସିମାନେ ଏ ସମ୍ପର୍କରେ ତୀକ୍ଷ୍ଣ ନଜର ରଖିଛନ୍ତି।
ସୂଚନାଯୋଗ୍ୟ, ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ପବ୍‌ଜି ଖେଳି ନୋଏଡାର ସଚିନ ମିଣାଙ୍କ ପ୍ରେମରେ ପଡ଼ିବା ପରେ ପାକିସ୍ତାନ ଛାଡ଼ି ଭାରତ ଚାଲିଆସିଥିଲେ। ନିଜ ୪ ପିଲାଙ୍କ ସହ ନେପାଳ ଦେଇ ଭାରତ ଆସିଥିବା ସୀମା ପୁଣିଥରେ ପାକିସ୍ତାନ ନ ଫେରନ୍ତୁ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେମାନଙ୍କ ମତରେ ସୀମା ଏବେ ଅନ୍ୟ ସମ୍ପ୍ରଦାୟର ହୋଇଗଲେଣି। ସେଥିପାଇଁ ତାଙ୍କୁ ପୁଣିଥରେ ଗ୍ରହଣ କରାଯାଇ ପାରିବ ନାହିଁ। ଭାରତରେ ବେଆଇନ ପ୍ରବେଶ ନେଇ ସୀମାଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା। ଜାମିନରେ ଆସିବା ପରେ ସେ ପାକିସ୍ତାନ ଯିବାକୁ ଏବେ ଅରାଜି। ସେଠାକୁ ଗଲେ ତାଙ୍କୁ ମୃତ୍ୟୁ ଭୟ ଥିବା ସୀମା କହିଛନ୍ତି।
ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହେଦର ସାଉଦି ଆରବରେ ଚାକିରି କରୁଥିବାବେଳେ ସୀମା ତାଙ୍କ ପିଲାଙ୍କ ସହ ଏକୁଟିଆ ଗୁଲିସ୍ତାନ-ଇ-ଜୈହାରସ୍ଥିତ ଘରେ ରହୁଥିଲେ। ୨୦୧୯ରୁ ସୀମା ସଚିନଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ଗୁଲାମ ପୁଣିଥରେ ସୀମାଙ୍କୁ ଆପଣାଇବାକୁ ପ୍ରସ୍ତୁତ ଥିବା ଏକ ଭିଡିଓ ଶେୟାର କରି କହିଛନ୍ତି। ୧୦ ବର୍ଷ ପୂର୍ବେ ସୀମା ଓ ଗୁଲାମ ପ୍ରେମ ବିବାହ କରିଥିଲେ।

Share