ଯୋଡ଼ାରେ ସନ୍ଦିଗ୍ଧ ବେଲୁନ୍‌

ଯୋଡ଼ା,୨୮ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିଲେଇପଦା ନିକଟ ବିରିକଳାଠାରେ ଏକ ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି। ଗଛରେ ବାଜି ବେଲୁନଟି ଫାଟି ତଳେ ପଡ଼ିଥିବା ବେଳେ ଏକ ଇଲେକ୍ଟ୍ରୋନିକ ଡିଭାଇସ ଝୁଲି ରହିଛି। ଏହାକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ପାଣିପାଗ ମାପଯନ୍ତ୍ର ହୋଇଥିବା ଜଣାପଡ଼ିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଯୋଡ଼ା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ରଞ୍ଜିତ ନାଏକ ଓ ସଞ୍ଜୀବ ମୁଣ୍ଡା କହିଛନ୍ତି, ସୋମବାର ସକାଳୁ ଗ୍ରାମର କେତେଜଣ ମହିଳା ମହୁଲ ସଂଗ୍ରହ କରିବା ପାଇଁ ଜଙ୍ଗଲକୁ ଯାଇଥିଲେ। ଏକ ଆମ୍ବ ଗଛ ଡାଳରେ ବେଲୁନ ଲାଗିଥିବା ଓ ଇଲେକ୍ଟ୍ରୋନିକ ଡିଭାଇସ ଝୁଲି ରହିଥିବା ଦେଖିଥିଲେ। ଏଥିରେ ଏକ ନାଲି ରଙ୍ଗର ଲାଇଟ୍‌ ଧପ୍‌ ଧପ୍‌ ହୋଇ ଜଳୁଥିଲା। ତଳେ ଏକ ଫଟା ବେଲୁନ୍‌ ମଧ୍ୟ ପଡ଼ିଥିଲା। ଖବର ପ୍ରଚାର ହେବା ପରେ ତାହାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଯାଇଥିଲା। ଖବର ପାଇ ଯୋଡ଼ା ପୋଲିସ ପହଞ୍ଚତ୍ ଗଛରୁ ବେଲୁନ ଓ ଡିଭାଇସକୁ କାଢ଼ି ଥାନାକୁ ନେଇଥିଲା। ଡିଭାଇସରେ ଇଂଲିିଶରେ ‘ୱେଥେକ୍ସ’ ଲେଖା ରହିଛି। ବିଭିନ୍ନ ବଡ଼ ଖଣି କମ୍ପାନୀ ଏହାକୁ ଛାଡ଼ି ବାୟୁ ଓ ଧ୍ୱନି ପ୍ରଦୂଷଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥାଆନ୍ତି। ଏହା ରିମୋର୍ଟ ଦ୍ୱାରା ପରିଚାଳିତ ହୋଇଥାଏ। ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଯୋଡ଼ା ଥାନା ଅଧିକାରୀ କହିଛନ୍ତି।
ମାତ୍ର ବେଲୁନଟିକୁ କେଉଁ କମ୍ପାନୀ ଆକାଶ ମାର୍ଗକୁ ଛାଡ଼ିଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖଣି ଅଞ୍ଚଳରେ ଅନେକ ସମୟରେ ଉଡ଼ାଜାହାଜ ଏବଂ ହେଲିକପ୍ଟର୍‌ ଯା ଆସ କରିଥାଏ। ନିକଟବର୍ତ୍ତୀ ଟଣ୍ଟୋ ଏୟାର ଷ୍ଟ୍ରିପ୍‌ରେ ଏଗୁଡ଼ିକ ଅବତରଣ କରିଥାନ୍ତି। ଏହିପରି ବେଲୁନ ସ୍ବଳ୍ପ ଉଚ୍ଚତାରେ ଉଡୁଥିବାରୁ ଦୁର୍ଘଟଣାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବେଲୁନ ଉଡ଼ାଇବା ଉପରେ ଏକ ରେଗୁଲେଟିଂ ବା ନିୟନ୍ତ୍ରିତ ବ୍ୟବସ୍ଥା ରହିବା ଉଚିତ୍‌ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Share