ପୁରୀ ଅଫିସ,୩୦ା୯: ବାଙ୍ଗରସ୍ଥିତ ପୁରୀ ମୁଖ୍ୟ କାରାଗାରରେ ଗୁରୁବାର ଜଣେ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ଥାନା ବିଶ୍ୱନାଥପୁରର ଶିବପ୍ରସାଦ ଭୋଇ(୪୫)। ହଠାତ୍ ଅପରାହ୍ନରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବରପାଇ ରାମଚଣ୍ଡୀ ଥାନା ପୋଲିସ ପହଞ୍ଚତ୍ ଶିବଙ୍କ ମୃତଦେହକୁ ଜବତ ପୁରୀ କଲେରା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ତାଙ୍କ ଘରଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବାସ୍ତବରେ ଶିବଙ୍କ ଦେହ ଖରାପ ଥିଲା ନା ସେ ଆତ୍ମହତ୍ୟା କରିଛନ୍ତି, ସେନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ଜାନୁୟାରୀ ୮ରେ ଶିବ ଜେଲ ଯାଇଥିଲେ। ତାଙ୍କର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ବଳାତ୍କାର ମାମଲାରେ ଜେଲ ଆସିଥିବାରୁ ତାଙ୍କ ଘରଲୋକ ମଧ୍ୟ ପଚାରୁ ନ ଥିଲେ, ଯେଉଁଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଜେଲରେ ରହିବା ପରେ ଶିବଙ୍କର ସ୍ପାଇନାଲ କର୍ଡ ସମସ୍ୟା ଦେଖାଯାଇଥିଲା। ତେଣୁ ତାଙ୍କୁ ୩ରୁ ୪ଥର ପୁରୀ ମେଡିକାଲ ମଧ୍ୟ ନିଆଯାଇଥିଲା। ଏଥିପାଇଁ ସେ ନିୟମିତ ଔଷଧ ଖାଉଥିଲେ। ଏ ସମ୍ପର୍କରେ ପୁରୀ ଜେଲର ଅକ୍ଷୟ ଜେନା କହିଛନ୍ତି, ଶିବଙ୍କର ସ୍ପାଇନାଲ କର୍ଡ ସମସ୍ୟାରୁ ଚିକିତ୍ସାଧୀନ ଥିଲେ। ଗୁରୁବାର ହଠାତ୍ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ନେବାବେଳେ ବାଟରେ ମୃତ୍ୟୁ ଘଟିଥିଲା।