ପୁଟିନ୍‌ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ

ମସ୍କୋ,୧୩ା୧୨:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍‌ ଚିଫ୍‌ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍‌ଶୋୟ ଟିଶିନ୍‌ସ୍କି ଲେନ୍‌ ବାସଭବନରେ ଠାବ ହୋଇଛି। ଆନ୍ନା ‘କୋମ୍‌ସୋମୋଲ୍‌ସ୍କାୟା ପ୍ରଭ୍‌ଡା’ର ଓ୍ବେବ୍‌ସାଇଟ୍‌ କଣ୍ଟେଣ୍ଟ ଦାୟିତ୍ୱରେ ଥିଲେ ଏବଂ ୟୁକ୍ରେନ୍‌ ବିରୋଧରେ ପୁଟିନ୍‌ଙ୍କ ଯୁଦ୍ଧ ଉପରେ ଲେଖୁଥିଲେ। ‘କୋମ୍‌ସୋମୋଲ୍‌ସ୍କାୟା ପ୍ରଭ୍‌ଡା’ ରୁଷିଆର ଏକ ବହୁଳ ପ୍ରସାରିତ ଖବରକାଗଜ ହୋଇଥିବାବେଳେ ଏହାର ଓ୍ବେବ୍‌ସାଇଟ୍‌ର ୮୩.୯ ନିୟୁତ ପାଠକ ରହିଛନ୍ତି। ପୁଟିନ୍‌ ଏହି ଖବରକାଗଜକୁ ନିଜର ପ୍ରିୟ ବୋଲି କହୁଥିବା ୟୁରୋପୀୟ କମିଶନର ଏକ ଦସ୍ତାବିଜରେ ଉଲ୍ଲେଖ ରହିଛି। ଖବରକାଗଜର ମୁଖ୍ୟ ସମ୍ପାଦକ ଭ୍ଲାଡିମିର ସୁଙ୍ଗୋରକିନ୍‌ (୬୮)ଙ୍କ ମୃତ୍ୟୁର ପ୍ରାୟ ବର୍ଷେ ପରେ ପୁଟିନ୍‌ଙ୍କ ଆଉ ଜଣେ ସହଯୋଗୀଙ୍କ ମୃତ୍ୟୁ ଅନେକ ପ୍ରଶ୍ନ ଛିଡ଼ା କରାଇଛି। କାରଣ ଆନ୍ନାଙ୍କ ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ। କେହି ତାଙ୍କ ଆପାର୍ଟମେଣ୍ଟକୁ ଅନୁପ୍ରବେଶ କରିଥିବାର ପ୍ରମାଣ ମଧ୍ୟ ମିଳିନାହିଁ।

Share