କ୍ୱାର୍ଟର୍ସରେ ବରିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୨୩।୨(ନି.ପ୍ର.)
ସୋନପୁର ସହରସ୍ଥିତ କ୍ଲଷ୍ଟର କଲୋନୀର ସରକାରୀ କ୍ୱାର୍ଟର୍ସରେ ବରିଷ୍ଠ କିରାଣି ଶିବ ନାରାୟଣ ବିଶ୍ୱାଳ(୪୧)ଙ୍କ ସନ୍ଦେହଜନକଭାବେ ମୃତ୍ୟୁ ଘଟିଛି। ପୋଲିସ କ୍ୱାର୍ଟର୍ସ ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ କାନ୍ଥରେ ପୋତା ହୋଇଥିବା ଏକ ଲୁହା କଣ୍ଟାରେ ବିଶ୍ୱାଳ ନିଜ ବେକକୁ ସରୁ ପ୍ଲାଷ୍ଟିକ୍‌ ଦଉଡିରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଘରେ ସେ ଏକୁଟିଆ ଥିଲେ। ଭିତର ପଟୁ କବାଟ, ଝରକା ବନ୍ଦ ଥିଲା। ସୂଚନା ପାଇ ଅତିରିକ୍ତ ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ତହସିଲଦାର ନବୀନ କୁମାର ପାଢୀ, ସୋନପୁର ପୋଲିସ ଏସ୍‌ଡିପିଓ ମିହିର କୁମାର ପଣ୍ଡା, ଆଇଆଇସି ପୁଷ୍ପେନ୍ଦୁ ସାଗର ଘଟଣାସ୍ଥଳରେ ପହଞ୍ଚତ୍ଥିଲେ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି। ବିଶ୍ୱାଳ ଜିଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥାପନ ବିଭାଗରେ ବରିଷ୍ଠ କିରାଣିଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାମପୁର ଥାନା ସାରସମାଲ(ମିର୍ଦ୍ଧାପଡା) ଗ୍ରାମରେ। ତାଙ୍କ ସ୍ତ୍ରୀ, ୧୬ ବର୍ଷର ଝିଅ ଓ ୧୩ ବର୍ଷର ପୁଅ ଅଛନ୍ତି । ୪ ଦିନ ପୂର୍ବରୁ ସ୍ତ୍ରୀ, ପୁଅ ଝିଅଙ୍କୁ ନେଇ ବୁର୍ଲାସ୍ଥିତ ବାପାଙ୍କ ଘରକୁ ଯାଇଥିଲେ। ଶୁକ୍ରବାର ଓ ସୋମବାର କିରାଣୀ ବିଶ୍ୱାଳ କୌଣସି କାରଣରୁ ଅଫିସ ଯାଇ ନଥିଲେ । ପୋଲିସଠାରୁ ସୂଚନା ପାଇ ପରିବାର ଲୋକେ ସୋନପୁରରେ ପହଞ୍ଚତ୍ଛନ୍ତି ।

 

Share