ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଥାନାରେ ପ୍ରେମିକ ଅଟକ

ବ୍ରହ୍ମପୁର ଅଫିସ,୧୮।୯: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ରବିବାର ପୋଲିସ ଜବତ କରିଛି। ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ ବୋଲି ପୋଲିସ କହିଛି। ଏନେଇ ପୋଲିସ ଏକ ମାମଲା (ନଂ.୪୩୦/୨୨) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି। ଅନ୍ୟପକ୍ଷେ ମହିଳାଙ୍କ ପ୍ରେମିକଙ୍କୁ ପୋଲିସ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅଟକ ଯୁବକ ଜଣଙ୍କ ଗୋଶାଣି ନୂଆଗାଁର ଗଣେଶ ପାଢ଼ୀ (୩୪)। ପୋଲିସ ଉଭୟଙ୍କ ମୋବାଇଲ ଫୋନ୍‌ ଜବତ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି।

ଘଟଣାରୁ ପ୍ରକାଶ ଯେ, ମହିଳା ଜଣଙ୍କ ହିଞ୍ଜିଳିକାଟୁ ଅଞ୍ଚଳରେ କିଛିବର୍ଷ ତଳେ ବିବାହ କରିଥିଲେ। ତାଙ୍କର ଏକ ଝିଅ ଜନ୍ମ ହେବା ପରେ ସ୍ବାମୀଘର ଲୋକେ ତାଙ୍କୁ ଘରୁ ତଡ଼ି ଦେଇଥିଲେ। ପରେ ସେ ବାପଘରକୁ ଚାଲିଆସିଥିଲେ। କିଛିମାସ ତଳେ ଗୋଶାଣି ନୂଆଗାଁ ଅଞ୍ଚଳର ଗଣେଶ ପାଢ଼ୀଙ୍କ ସହ ମହିଳାଙ୍କ ସମ୍ପର୍କ ଗଢି ଉଠିଥିଲା। ଗଣେଶ ନିଜକୁ ଅବିବାହିତ କହି ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ଏପରି କି ତାଙ୍କୁ ଅନ୍ୟତ୍ର ଏକ ଘର ଭଡ଼ା ନେଇ ରଖିଥିଲେ।

ହେଲେ ଗଣେଶ ବିବାହିତ ବୋଲି ସମ୍ପୃକ୍ତ ମହିଳା ପରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଗଣେଶ ଶନିବାର ସନ୍ଧ୍ୟାରେ ମହିଳାଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା। ପରେ ସେ ଭଡ଼ା ଘରକୁ ଆସିଥିଲେ। ହେଲେ କବାଟ ବନ୍ଦ ଥିବା ବେଳେ ଗଣେଶ ଘର ବାରିପଟ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେତିକିବେଳେ ସେ ମହିଳା ଜଣଙ୍କ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଗଣେଶ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଥିଲା। ପ୍ରାଥମିକ ତଦନ୍ତରୁ ଗଣେଶ ମହିଳାଙ୍କୁ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ମହିଳାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।